କନକ ବ୍ୟୁରୋ:  ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ରିଭଲ୍ୟୁସନରୀ ଗାର୍ଡ(ଆଇଆର୍‌ଜିସି) ଏକ ବଡ଼ ଘୋଷଣା କରିଛି । ସେମାନେ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ବନ୍ଦ କରିଦିଆଯାଇଛି । ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି, ଏହି ଷ୍ଟ୍ରେଟ୍ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ନିଆଁ ଲଗାଇ ଦିଆଯିବ। ଏହି ନିଷ୍ପତ୍ତି ଇରାନ ଓ ଇସ୍ରାଏଲ,ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ବଡ଼ ପଦକ୍ଷେପ । ଏହା ବିଶ୍ୱ ତୈଳ ବାଣିଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇପାରେ ବୋଲି କୁହାଯାଉଛି । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ବରିଷ୍ଠ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ସର୍ଦ୍ଦାର ଇବ୍ରାହିମ୍ ଜାବାରି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି। ଯଦି କେହି ସେହି ସ୍ଥାନ ଦେଇ ଯିବାକୁ ସାହସ କରେ, ତେବେ ରିଭୋଲ୍ୟୁସନାରୀ ଗାର୍ଡ ତଥା ନୌସେନା କର୍ମଚାରୀମାନେ ସେହି ଜାହାଜଗୁଡ଼ିକୁ ଜାଳି ଦେବେ ।

Advertisment

ଅଧିକ ପଢନ୍ତୁ: ମଧ୍ୟପ୍ରାଚ୍ୟ ନିଆଁରେ ଜଳୁଛି ପାକିସ୍ତାନ: କରାଚିରୁ ପିଓକେ ଯାଏଁ ପ୍ରତିବାଦ, ୩୫ ଜଣ ମୃତ

ହର୍ମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗରର ଏକ ସଂକୀର୍ଣ୍ଣ ପଥ । ଏହି ପଥ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତେଲ ଓ ଗ୍ୟାସ ବହନ କରୁଥିବା ଜାହାଜ ଯାତାୟାତ କରିଥାନ୍ତି । ସାଉଦି ଆରବ, କୁଏତ, ଇରାକ, କତାର, ବାହାରିନ, ୟୁଏଇ ଏବଂ ଇରାନରୁ ଜାହାଜ ଚଳାଚଳ ପାଇଁ ଏହା ଏକ ପଥ । ଏହି ପ୍ରଣାଳୀ ପାରସ୍ୟ ଉପସାଗରକୁ ଓମାନ ଉପସାଗର ସହିତ ସଂଯୋଗ କରେ। ଇରାନ ଏବଂ ଓମାନ ଏହାର ଜଳପଥକୁ ନିୟନ୍ତ୍ରଣ କରିଥାନ୍ତି । ହର୍ମୁଜ ଦେଇ ଜାହାଜ ଚଳାଚଳ ବନ୍ଦ ହେବା ଦ୍ବାରା ତେଲ ମୂଲ୍ୟ ଆକାଶଛୁଆଁ ହେବାର ଆଶଙ୍କା ରହିଛି । ପୂର୍ବରୁ ଫେବ୍ରୂଆରିରେ ଇରାନ ସାମରିକ ଅଭ୍ୟାସ ସମୟରେ କିଛି ଅଞ୍ଚଳରେ ଯାତାୟାତକୁ ଅବରୋଧ କରିଥିଲା, ଯାହା ଫଳରେ ତେଲ ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଥିଲା ।