କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବଡ଼ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତ ବର୍ଷ ସମସ୍ତ ମାଟ୍ରିକ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ, ବାରକୋଡ, ସିରିଏଲ ନମ୍ବର। ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରକୁ ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ।
- ବନ୍ଦ ହେବ ପରୀକ୍ଷାରେ ଅନିୟମିତତା
- ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
- ପ୍ରଶ୍ନପତ୍ର ବକ୍ସକୁ ସୁରକ୍ଷା ଦେବ ଡିଜି ଲକର
ପ୍ରଶ୍ନପତ୍ର ଭାଇରାଲ ହେଲେ ଧରାପକାଇଦେବ ୱାଟର ମାର୍କ । ଭାଇରାଲ ପ୍ରଶ୍ନପତ୍ର କେଉଁ ପରୀକ୍ଷାର୍ଥୀଙ୍କର, କେଉଁ ପରୀକ୍ଷା କେନ୍ଦ୍ରର, କେଉଁ ହଲରୁ ଲିକ୍ ହୋଇଛି ସହଜରେ ଜଣାପଡିବ । ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡକୁ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି। ଆସନ୍ତା ୧୭ ରେ ହେବାକୁ ଥିବା ଓଏସଏସଟିଇଟି ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ ।
ସେହିପରି ଭାବେ ଆସନ୍ତା ୧୭ ତାରିଖରୁ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଲାଗିବ ଡିଜି ଲକର। ୧୮୩ଟି ପରୀକ୍ଷା କେନ୍ଦ୍ରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବକ୍ସରେ ଲାଗିବ ଡିଜି ଲକର। ଗୋଟିଏ ଡିଜି ଲକର ପାଇଁ ରହିଛି ଗୋଟିଏ ସ୍ୱତନ୍ତ୍ର କାର୍ଡ । ସେଇ କାର୍ଡ ଦ୍ଵାରା ଡିଜି ଲକରଟି ଖୋଲିବ। ଆଗାମୀ ଦିନରେ ଡିଜି ଲକରକୁ ବୋର୍ଡ ପରୀକ୍ଷାରେ ବ୍ୟବହାର ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବୋର୍ଡର ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ହେଉଥିବା ଅନିୟମିତତା ରୋକିବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ତେବେ ଏହି ବ୍ୟବସ୍ଥା କେତେ କାର୍ଯ୍ୟକାରୀ ହେଉଛି ଏବଂ ପରୀକ୍ଷାରେ କେତେ ସ୍ୱଚ୍ଛତା ଆଣୁଛି ତାହା ସମୟ କହିବ ।