କନକବ୍ୟୁରୋ : ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ଭିତରେ ଆରମ୍ଭ ହୋଇଛି ଜଳ ଯୁଦ୍ଧ । ପାକ୍କୁ ପାନେ ଦେବାକୁ ସିନ୍ଧୁ ନଦୀ ପାଣି ଉପରେ ଭାରତର କଟକଣା ଲଗାଇଛି । କାଶ୍ମୀରରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛି କନକ ନ୍ୟୁଜ୍ । ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରାଯିବା ଭାରତ ନିଷ୍ପତ୍ତିରେ ପାକିସ୍ତାନ ଆଗାମୀ ଦିନରେ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେବ ।
ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀରେ ଜଳ ବଣ୍ଟନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ଏକ ଚୁକ୍ତିନାମା ହୋଇଥିଲା । ଏହାକୁ ସିନ୍ଧୁ ଜଳ ଚୁକ୍ତିନାମା କୁହାଯାଏ । ଏହାର ଉଦ୍ଦେଶ୍ୟ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀର ଜଳ ଦୁଇ ଦେଶ ମଧ୍ୟରେ ସୁଷମ ବଣ୍ଟନ ହୋଇପାରିବ ।
ସିନ୍ଧୁ ନଦୀ ପ୍ରଣାଳୀରେ ଛଅ ନଦୀ ରହିଛି। ଏଥିରେ ସିନ୍ଧୁ, ସତଲେଜ, ଝେଲମ, ଚେନାବ, ରବି ଓ ବ୍ୟାସ୍ ନଦୀ ସାମିଲ । ତେବେ ସିନ୍ଧୁ ନଦୀକୁ ନେଇ ଯେତେବେଳେ ବିବାଦ ବଢ଼ିଚାଲିଛି ସେତିକିବେଳେ ସିନ୍ଧୁ ନଦୀ ଆଜି ବିତର୍କର ବିଷୟ ପାଲଟିଛି । ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ରଣନୀତିକୁ ନିଷ୍ପତ୍ତି ଭବିଷ୍ୟତରେ ସିନ୍ଧୁ ନଦୀ ଜଳ ବ୍ୟବସ୍ଥାର ବ୍ୟବହାର କରିବା ପାଇଁ ନୂଆ ବିକଳ୍ପ ସୃଷ୍ଟି କରିବ । ସୀମା ରେଖାରେ ଗୁଳି ବିନିମୟ ଭିତରେ ସିନ୍ଧୁ ସନ୍ଧି ନୂଆ ଏକ ଯୁଦ୍ଧର ସଙ୍କେତ ପ୍ରଦାନ କରୁଛି ।
--