କନକ ବ୍ୟୁରୋ: ପାଣିରେ ବୁଡ଼ି ଗଲା ଜୀବନ । ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ୪ଟି ଜୀବନ ଯାଇଛି । ସୁନ୍ଦରଗଡ଼ରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ା ନାଗାବଳୀ ନଦୀରେ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ପାଣିରେ ବୁଡ଼ି ଜଣେ ୩ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି ।
ସାନ ଭାଇରୁ ବଞ୍ଚାଇବାକୁ ଯାଇ ବଡ଼ ଭାଇ ମୃତ । ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗା ଚିଟିକେନ୍ ଢିପାରୁ ଏହି ଦୁଃଖଦ ଖବର । ଗାଧୋଇବା ବେଳେ ପୋଖରୀରେ ସାନ ଭାଇ ବୁଡି ଯାଉ ଥିବା ସମୟରେ ବଡ଼ଭାଇ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବୁଡି ଯାଇଥିଲେ ।
ରାୟଗଡ଼ା ଜିଲ୍ଲାର ହାତୀପଥର ନିକଟ ନାଗାବଳୀ ନଦୀ କୂଳରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲା କୋଟପେଟା ଅଞ୍ଚଳର ସିମାଦ୍ରୀ ମିନିୟକା । ଶୁକ୍ରବାର ସିମାଦ୍ରୀ ସାଙ୍ଗମାନଙ୍କ ସହ ମାଳିଗାଁ ନିକଟ ନଦୀ ପଠାକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।
ବୈପାରିଗୁଡା ବ୍ଲକର ବୋଦାପୁଟ ପଞ୍ଚାୟତର ପାଣ୍ଡ୍ରିଗୁଡା ଗାଁରେ ପାଣିରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ଲଇଛନ ଡିଶାରୀଙ୍କ ୧୨ ବର୍ଷର ପୁଅ ଅଶୋକ ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଥିଲେ। ଉଦ୍ଧାର କରି ବୈପାରିଗୁଡା ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ଘର ପାଖରେ ଖେଳୁଥିବା ବେଳେ ପୋଖରୀରେ ବୁଡି ଜଣେ ୩ ବର୍ଷର ନାବାଳକର ମୃତ୍ୟୁ ହୋଇଛି। ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବିସିପୁର ଗ୍ରାମରେ ଶୋକର ଛାୟା । ବିସିପୁର ଗ୍ରାମର ମଦୁସୂଦନ ସିଂଙ୍କ ୩ ବର୍ଷର ସାନପୁଅ ହିମରାଜ ଘର ବାଡ଼ିରେ ଥିବା ପୋଖରୀ ବୁଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।