କନକ ବ୍ୟୁରୋ: ଉପାନ୍ତରୁ ନେଇ ଉପକୂଳ ସବୁଠି ଜଳ କଷ୍ଟ। ପ୍ରଚାରରେ ସୀମିତ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଣ । ଫେଲ ମାରିଛି ପ୍ରକଳ୍ପ । ରାତି ପାହିଲେ ଲୋକଙ୍କୁ ଘାରୁଛି ପିଇବା ପାଣି ଚିନ୍ତା । ମାଲକାନଗିରି ମାଥିଲି ବ୍ଲକ କୁଟୁଣିପାଲି ପଞ୍ଚାୟତର ଗୋଟିଏ ଖବର ହିଁ, ବୟାନ କରୁଛି ଉପାନ୍ତରେ ବିକାଶର ବାସ୍ତବ ଚିତ୍ର । ଚୁଆରୁ ଚାଲିଛି ପାଣି ସଂଗ୍ରହ । ଡହ ଡହ ଖରାରେ ଗରା, ବାଲଟି ଧରି ଚାଲିବାକୁ ପଡୁଛି ଅନେକ ବାଟ । ତେବେ ଜିଲ୍ଲାର ଅନେକ ସ୍ଥାନରେ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ସେପଟେ ବିଷ ପାଲଟିଛି ବରଗଡ଼ର ଜୀବନ ରେଖା । ସହରର ନର୍ଦ୍ଦମା ପାଣି ମିଶି ଦୂଷିତ ହୋଇଛି ଜିରା ନଦୀ । କୁଡ଼ କୁଡ଼ ଆବର୍ଜନା ଭର୍ତ୍ତି ନଦୀରୁ କିଭଳି ପିଇବା ପାଣି ସଂଗ୍ରହ କରିବେ ତାକୁ ନେଇ ଚିନ୍ତାରେ ନଦୀକୂଳ ବାସିନ୍ଦା ।
- ସ୍ବପ୍ନ ପାଲଟିଛି ପାଇପ ପାଣି
- ନଦୀ ମେଣ୍ଟାଉଛି ଶୋଷ
କଣାସରେ ହଇଜା ଆତଙ୍କ ପରେ ବି ସୁଧୁରିନି ସ୍ଥିତି । ଉତ୍କଟ ଜଳ ସମସ୍ୟା ପାଇଁ ନିରୁପାୟ ଲୋକ । ବାଧ୍ୟ ହୋଇ ପିଉଛନ୍ତି ଦୟା ନଦୀର ବିଷାକ୍ତ ପାଣି । ମେଘା ପାଣି ପ୍ରକଳ୍ପ କାମ ସରି ନଥିବା ବେଳେ ପ୍ରଶାସନ ଯେଉଁ ପାଣି ଯୋଗାଉଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହୋଇଛି । ଯଦି ପୁଣି ଝାଡ଼ାବାନ୍ତି ବ୍ୟାପେ ତେବେ କିଏ ହେବ ଉତ୍ତରଦାୟୀ? ଏପଟେ ରାୟଗଡ଼ାରେ ମଧ୍ୟ ସମାନ ଅବସ୍ଥା । ଅଧାପନ୍ତରିଆ ଭାବେ ପଡ଼ିଛି ୩ ହଜାର ୩୩୫ କୋଟିର ମେଗା ପାଣି ପ୍ରକଳ୍ପ । ଅବଧି ସରିଛି କିନ୍ତୁ କାମ ସରୁନି । ଘର ଆଗରେ ଟ୍ୟାପ ଲାଗିଛି, କିନ୍ତୁ ପାଣି ଆସୁନି । ତେଣୁ ନଦୀର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ୬ଟି ପଞ୍ଚାୟତର ୨୯ ଖଣ୍ଡ ଗ୍ରାମବାସୀ ।
କେବେ ପୂରଣ ହେବ ବିଶୁଦ୍ଧ ପାନୀୟ ଜଳ ପାଇବାର ସ୍ବପ୍ନ? ବିଶୁଦ୍ଧ ପାଣି ପାଇବା କଣ ଲୋକଙ୍କ ହକ୍ ନୁହେଁ କି? ପାଣି ସମସ୍ୟା ଦୂର ପାଇଁ କେତେ ବର୍ଷ କରିବାକୁ ପଡ଼ିବ ଅପେକ୍ଷା?