କନକ ବ୍ୟୁରୋ : ବିଦ୍ୟାଳୟରେ ନାହିଁ ପାନୀୟ ଜଳର ବ୍ୟବସ୍ଥା । ପିଇବା ପାଇଁ ହେଉ କି ରୋଷେଇ ପାଇଁ ଘରୁ ପାଣି ଆଣି ବ୍ୟବହାର କରିବାକୁ ପଡ଼ୁଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ।

Advertisment

ଗୋଟିଏ ପଟେ ବହି ବସ୍ତାନି ବୋଝ, ଅନ୍ୟପଟେ ୨ ଲିଟର ପାଣିର ବୋଝ । ବିଦ୍ୟାଳୟରେ ନଳକୂପ ଅଚଳ ହୋଇଯାଇଥିବାରୁ ଘରୁ ବୋତଲରେ ପାଣି ନେଇ ୨ କିମି ଚାଲି ବିଦ୍ୟାଳୟକୁ ଆସୁଛନ୍ତି ଛାତ୍ରଛାତ୍ରୀ । ଶୌଚ ଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ, ସବୁ ପାଇଁ ଏହି ବୋତଲ ପାଣି ଭରସା । ରାୟଗଡ଼ା ସଦର ବ୍ଳକ ଜେମାଦେଇପେଣ୍ଠ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏପରି ଜଳ ଯନ୍ତ୍ରଣା ଭୋଗୁଛନ୍ତି । କୁନି ହାତ ଏତେ ବୋଝ ସହିହେଉନି ।

ମାସେ ହେଲାଣି ବିଦ୍ୟାଳୟ ପରିସରରେ ଥିବା ନଳକୂପ ଅଚଳ ହୋଇପଡ଼ିଛି । ମଧ୍ୟାହ୍ନ ଭୋଜନ ପାଇଁ ୧ କିମି ଦୂର ଜାତୀୟ ରାଜପଥ ଡେଇଁ ନିଜ ଘରୁ ପାଣି ଆଣୁଛନ୍ତି ରୋଷେୟା । ଏନେଇ ବିଦ୍ୟାଳୟର ସହକାରୀ ଶିକ୍ଷକ, ସ୍ଥାନୀୟ ସରପଞ୍ଚ, ସିଆର୍‌ସି, ଆରଡବ୍ଲ୍ୟୁଏସ୍‌ଏସ୍ ଓ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଛନ୍ତି । ହେଲେ କେହି ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ଆସିଛି ।

ଏହି ବିଦ୍ୟାଳୟରେ ଶିଶୁବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ହେଲେ ଅଭିଯୋଗ ପରେ ବି ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।