କନକ ବ୍ୟୁରୋ : ଦୋହଲୁଛି ଘର । ରାସ୍ତାରେ ଶୋଇପଡିଛି ଘର । ଭୁଷୁଡ଼ିଲା ନିର୍ମାଣଧୀନ କୋଠା । ଆଖିପିଛୁଳାକେ ଭାଙ୍ଗିଲା କୋଠା । ଊଛୁଳୁଛି ସୁଇମିଂପୁଲ । ଭୟରେ ଦୌଡୁଛନ୍ତି ଲୋକେ । ଅଧାରୁ ଭାଙ୍ଗିଲା ବିଶାଳ ପୋଲୋ । ଭଙ୍ଗା ଚଟାଣତଳୁ ଜୀବନର ସନ୍ଧାନ । ଆଜି ସକାଳୁ ଏଭଳି କିଛି ଭୟଙ୍କର ଭୂମିକମ୍ପ ସହ ଥରିଛି ମିଆଁମାର । ଦେଶର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର ତଥା ସୌନ୍ଦଯ୍ୟକୁ ବୃଦ୍ଧି କରୁଥିବା ଧାର୍ମିକ ଅନୁଷ୍ଠାନ ମଧ୍ୟ ବାଦ ପଡିନି । ବଡ ବଡ ଧାମିକସ୍ଥଳ ଉପରେ ପଡିଛି ଭୂକମ୍ପର ବଡ ପ୍ରଭାବ । ସୂଚନା ଅନୁସାରେ ପ୍ରଥମ ଝଟ୍କା ଦିନ ୧୧ଟା ୫୦ରେ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୨ ରେକର୍ଡ଼ କରାଯାଇଛି। ଏହାପରେ ଦ୍ଵିତୀୟ ଥର ପାଇଁ ଦିନ ୧୨ଟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୭.୦ ରେକର୍ଡ଼ ହୋଇଛି।
ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୭.୭ ରେକର୍ଡ କରାଯାଇଛି । ଏହା କେନ୍ଦ୍ର ସ୍ଥଳ ସାଇଙ୍ଗେଗ ବୋଲି ସୂଚନା ମିଳିଛି । ଏତେ ଶକ୍ତିଶାଳୀ ଥିଲା ଯେ ଭୂମିକମ୍ପ ଆଖି ଆଗରେ ତାସଘର ଭଳି ଭୁଷୁଡି ପଡିଛି ବଡ ବଡ ଅଟାଳିକା । କେଉଁଠି ବିଶାଳ ପୋଲ ଭାଙ୍ଗିଯାଇଛି ତ ପୁଲି କେଉଁଠି ରାସ୍ତା ଫାଟି ଆଁ କରିଛି । କିଛି ସ୍ଥାନରେ ନିର୍ମାଣଧୀନ ବିଲଡିଂ ଭାଙ୍ଗିଯାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ତେବେ ଭଙ୍ଗାଚଟାଣ ତଳେ ଶ୍ରମିକ ଫସିରହିଥିବା ଆଶଙ୍କା ଥିବାରୁ ବଡ ଧରଣର ମୃତ୍ୟୁ ଓ ଆହାତ ସଂଖ୍ୟା ଆସିବା ଆଶଙ୍କା ରହିଛି ।
ଏବେ ସୁଦ୍ଧା ଶତାଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି । କେବଳ ମିଆଁମାର ନୁହେଁ ଥାଇଲ୍ୟାଣ୍ଡ ଏବଂ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୂଭୁତ ହୋଇଛି । ସ୍ଥିତିକୁ ଦେଖି ଉଭୟ ଦେଶରେ ବିମାନବନ୍ଦର,ରେଳଚଳାଚଳ ବନ୍ଦ କରାଯିବା ସହ ଲାଗିଛି ଏମରଜେନ୍ସି । ତେବେ ଭାରତରେ କୌଣସି ପ୍ରକାରର ବଡ କ୍ଷୟକ୍ଷତିର ଏବେ ସୁଦ୍ଧା ସୂଚନା ମିଳିନି । ତେବେ ଘଟଣାକୁ ନେଇ ଦୁଖ ପ୍ରକାଶ କରିଛି ଭାରତ ଓ ଉଭୟ ଦେଶଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।