କନକ ବ୍ୟୁରୋ: ବଢୁଛି ଜଳକା ନଦୀର ଜଳସ୍ତର । ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମଥାନୀ ଠାରେ ବିପଦ ସଙ୍କେତ ୬ମିଟର ରହିଥିବା ବେଳେ ଜଳସ୍ତର ଏହାର ପାଖାପାଖି ପହଞ୍ଚିଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫ ଦଶମିକ ୯୮ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ବଢ଼ୁଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି ନଦୀ କୁଳିଆ ବାସିନ୍ଦା ।
ଲଗାଣ ବର୍ଷା କାରଣରୁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଗତ ଦୁଇଦିନ ଧରି ବାଲେଶ୍ୱର ସମେତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିଲା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ଷା ଲାଗିରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରା ଯାଉଛି । ଯଦି ବନ୍ୟା ହୁଏ ତାହାକୁ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।