କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ନଦୀରେ କମୁଛି ଜଳସ୍ତର ହେଲେ ଗାଁ ଗାଁରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା ।  ବାଲେଶ୍ବର ଜିଲ୍ଲାରେ କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । କିନ୍ତୁ ଏବେବି ପାଣିଘେରରେ ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ । ଭୋଗରାଇ କୁମ୍ଭୀରଗଡି ପଞ୍ଚାୟତ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀରେ ପାଣି ଛାଡୁଥିଲା ବେଳେ ତଳିଆ ପଞ୍ଚା ୟତରେ ପାଣି ବଢୁଥିବା ଦେଖିବାକୁ ମିଳିଛି।

Advertisment

ପ୍ରଥମ ବନ୍ୟାରେ ଧସିଲା ନଦୀବନ୍ଧ । ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି । ଏହାର ପ୍ରଭାବରେ ଶାଖା ନଦୀ କାଣୀ ପ୍ରଭାବିତ ହୋଇଛି । କାଣୀ ନଦୀର କଣ୍ଟପଡା ଠାରେ ବନ୍ଧ ମୁକୁଳା ଥିବାରୁ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଯାଇଛି । ମଲିକାପୁର ଠାରେ କାଣୀ ନଦୀରେ ପୋଲ ନିର୍ମାଣ ଚାଲିଥିବାରୁ ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଥିଲା । ଏଣୁ ଯାତାୟାତ ପାଇଁ ଏକ ବାଉଁଶ ଚାରା ନିର୍ମାଣ କରାଯାଇ ମଲିକାପୁର ପଲାସାହିକୁ ଯୋଗାଯୋଗ ହୋଇଥିଲା । ମାତ୍ର ବନ୍ୟା ଆସିବା ଫଳରେ ବାଉଁଶ ଚାରାଟି ଭାଙ୍ଗି ଭସାଇ ନେଇଛି । ଫଳରେ ଏହି ୨ ଗାଁ ଲୋକଙ୍କ ସମେତ ଦଶରଥପୁର ବ୍ଲକ ଏବଂ ଭଦ୍ରକର ଧାମନଗର ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । 

ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ  ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାପାଣିରେ ଆରଡ଼ି ଅଞ୍ଚଳ ସମେତ ୪ଟି ପଞ୍ଚାୟତରେ ଶହ ଶହ ହେକ୍ଟର ଚାଷଜମିକୁ ମାଡିଯାଇଛି ବନ୍ୟାପାଣି । ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ଜଳ ନିଷ୍କାସନ ବାଧା ସୃଷ୍ଟି କରୁଛି । ଫଳରେ ବୈତରଣୀ ଉଛୁଳିପଡ଼ିଛି । ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ପାଣି ଆହୁରି ବଢ଼ିବ ବୋଲି ଚାଷୀ କହିଛନ୍ତି । ସେପଟେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳିବାରେ ଲାଗିଛି ।