କନକ ବ୍ୟୁରୋ : ଖରାଦିନ ଆରମ୍ଭରୁ ଜଳସଂକଟ । ସ୍ଥିତି ଏମିତି ଯେ ନଦୀ, ପୋଖରୀ ଶୁଖିଗଲାଣି । ଏପରିକି ନଳକୂପ ଥିବା ଗାଁରେ ମଧ୍ୟ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକ । କାରଣ ଭୂତଳ ଜଳସ୍ତର କମି କମି ଯାଉଛି । ହେଲେ ସରକାର ଏହାର ସମାଧାନ ପାଇଁ ଯତ୍ନବାନ ହେଉନାହାନ୍ତି ।
ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ନଳକୂପ ଅଛି, ନଦୀ ନାଳରେ ପାଣି ଅଛି । ହେଲେ ସବୁଠି ଲୁଣି ପାଣି । ଶୋଷରେ ଡହଳ ବିକଳ ହେଉଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ାର ଲୋକ । ଶୋଷ ମେଣ୍ଟାଇବା ପାଇଁ ଗୋଟିଏ ପାଣି ଜାରକୁ ୩୦ ଟଙ୍କା ଦେଇ କିଣିବାକୁ ପଡୁଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରୁ ଆସିଛି ଏଭଳି ଜଳ କଷ୍ଟର ଦୃଶ୍ୟ । ପାଣି ସଂକଟର ସମାଧାନ ପାଇଁ ସରକାର ୨୦୧୮ ମସିହାରେ ୮୪୧ କୋଟି ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହାରି ଭିତରେ ୯ ବର୍ଷ ବିତିଲାଣି କିନ୍ତୁ ପ୍ରକଳ୍ପ କାମ ସରୁନି । ଚାରିଆଡ଼େ ନଈନାଳ ଥିଲେ ମଧ୍ୟ ଲୋକ ମଧୁର ଜଳ ପାଇଁ ସଂଘର୍ଷ କରୁଛନ୍ତି ।
ରାଜ୍ୟରେ ଭୂତଳ ଜଳସ୍ତର ତଳକୁ ତଳକୁ ଖସୁଛି । ଗତ ତିନି ବର୍ଷ ହେଲା ଭୂତଳ ଜଳସ୍ତର ହ୍ରାସ ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ ରାଜ୍ୟରେ ନିମ୍ନଗାମୀ ଭୂତଳ ଜଳ ୨୦୨୧ରେ ଭୂତଳ ଜଳସ୍ତର ୪.୯୧ ମିଟର, ୨୦୨୨ରେ ଭୂତଳ ଜଳସ୍ତର ୫.୫୧ ମିଟର, ୨୦୨୩ରେ ଭୂତଳ ଜଳସ୍ତର ୫.୪୭ ମିଟର, ୨୦୨୪ରେ ଭୂତଳ ଜଳସ୍ତର -୦.୫୩ ମିଟରକୁ ଖସି ଆସିଛି । ରାଜ୍ୟର ୩୦ ଜିଲ୍ଲାରୁ ୨୩ଟି ଜିଲ୍ଲାରେ ଜଳସ୍ତର ହ୍ରାସ ପାଉଛି । ଏମିତିକି ପୁରୀର ମଧ୍ୟ ଭୂତଳ ସ୍ତର ତଳକୁ ତଳକୁ ଖସୁଛି । ବେଆଇନ ଭାବେ ଭୂତଳ ଜଳ ଉତ୍ତୋଳନ ଏହି ସଂକଟକୁ ଡାକିଆଣିଛି । ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ ନଳକୂପ ଖୋଲି ଜଳ ସଂକଟର ସମାଧାନ କରାଯିବ ବୋଲି କହିଛନ୍ତି ।
ବର୍ତ୍ତମାନ ଭୂତଳ ଜଳସ୍ତର ହ୍ରାସକୁ ରୋକିବାକୁ ହେଲେ ଭୂତଳ ଜଳ ଉତ୍ତୋଳନ ବନ୍ଦ କରିବା, ଗ୍ରାଉଣ୍ଡ ୱାଟର ରିଚାର୍ଜ କରିବା, ବେଆଇନ ନିର୍ମାଣ ବନ୍ଦ କରିବା ଆବଶ୍ୟକତା ରହିଛି ।