କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ ଜଳସ୍ତର କମିଛି କିନ୍ତୁ ବନ୍ୟା ପ୍ରଭାବିତଙ୍କ ଦୁର୍ଦ୍ଦଶା ବଢ଼ିଛି । ସୁବର୍ଣ୍ଣରେଖା ନଦୀରେ ଆସିଥିବା ବନ୍ୟା ଜଳରେ ଉତ୍ତର ବାଲେଶ୍ବରର ୪ଟି ବ୍ଲକ ଜଳବନ୍ଦୀ । ୨୧ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ପାଣିଘେରରେ ରହିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାଲିଆପାଳ ଏବଂ ଭୋଗରାଇ ବ୍ଲକ । ଗାଁ ଦାଣ୍ତରେ ଏବେବି ୩ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ଲୋକେ ଘରୁ ବାହାରି ପାରୁ ନାହାନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଉପରୁ ପାଣି ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଲୋକେ ଦେଶୀ ଡଙ୍ଗାରେ ଯାତାୟତ କରୁଛନ୍ତି । ହଜାର ହଜାର ହେକ୍ଟର ପନିପରିବା ଚାଷ ବୁଡି ରହିଛି । ଘରେ ବନ୍ୟା ପାଣି ପଶିଥିବାରୁ ନଦୀ ବନ୍ଧ ଏବଂ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ବିପନ୍ନଙ୍କ ପରିବାର । ବନ୍ୟା ପୂର୍ବରୁ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇନଥିବାରୁ ପ୍ରଭାବିତ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
ତିନିଦିନ ପରେ ମଧ୍ୟ ବାଲିଆପାଳ ବ୍ଲକ ଜାମକୁଣ୍ଡା ଅଞ୍ଚଳର ସ୍ଥିତି ସଙ୍ଗିନ ରହିଛି । ଘର ଭିତରେ ପାଣି ଆସିଥିବାରୁ ରାସ୍ତା ଉପରେ ପଲିଥିନ ପକାଇ ଲୋକେ ଆଶ୍ରୟ ନେଇଛନ୍ତି । ବସଷ୍ଟାଣ୍ଡରେ ମଧ୍ୟ କିଛି ଲୋକ ଆଶ୍ରୟ ନେଇଛନ୍ତି । କୌଣସି ସରକାରୀ ସହାୟତା ମିଳି ନାହିଁ । କେବଳ ଗତକାଲି କିଛି ସ୍ବେଛାସେବୀ ସଂଗଠନ ପାଉଁରୁଟି ଗୋଟିଏ ଲେଖାଏଁ ଦେଇଥିବାରୁ ତାକୁ ଖାଇ ଦିନ କାଟୁଛନ୍ତି ଲୋକେ। ଦିନଟା ଯାହା ଯେମିତି କଟିଗଲା, ରାତି କେମିତି କଟିବ ତାକୁ ନେଇ ଭାଳେଣି ପଡ଼ିଛି ।