କନକ ବ୍ୟୁରୋ: କୋରାପୁଟ ଜିଲ୍ଳା ତେଲେଙ୍ଗିରି ଡ୍ୟାମ୍ ଲିକେଜ ୩ଦିନ ହେଲା ବନ୍ଦ କରାଯାଇପାରୁନାହିଁ । ଫଳରେ ଚାଷା ଚିନ୍ତାରେ ପଡ଼ିବା ସହିତ ଡ୍ୟାମର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି । ଡ୍ୟାମ୍ କର୍ତ୍ତୃପକ୍ଷ ବିଫଳ ହୋଇ ହାତ ଟେକି ଦେଇଛନ୍ତି। ଆନ୍ଧ୍ର ପ୍ରଦେଶରୁ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଆସି ଅନୁଧ୍ୟାନ କରିବା ପରେ ସେମାନଙ୍କ ପରାମର୍ଶ ଅନୁସାରେ କାମ କରାଯିବ ବୋଲି ଡ୍ୟାମ୍ ମୁଖ୍ୟଯନ୍ତ୍ରୀ କହିଛନ୍ତି ।

Advertisment

ଜଳସେଚନ ପାଇଁ ୬ ବର୍ଷ ତଳେ ନିର୍ମାଣ ହୋଇଥିଲା ତେଲେଙ୍ଗିରି ଡ୍ୟାମ୍। ଖର୍ଚ୍ଚ ହୋଇଥିଲା ପ୍ରାୟ ୧୪ ଶହ କୋଟି ଟଙ୍କା। ୮ଟି ଗାଁ ବିସ୍ଥାପିତ ହୋଇଥିଲେ । ବୋରିଗୁମ୍ମା ବ୍ଳକର ୪ ହଜାର ହେକ୍ଟର ଓ ଜୟପୁର ବ୍ଳକର ୫ ହଜାର ହେକ୍ଟର ଜମିକୁ ଜଳ ଯୋଗାଉଥିବା ତେଲେଙ୍ଗିରି ଡ୍ୟାମର ସୁରକ୍ଷା ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। 

ଡ୍ୟାମରୁ ପାଣି ଲିକ୍ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏବେ ଫସଲ ନଷ୍ଟ ହେବା ଓ ଆଗକୁ ରବି ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି। ଡ୍ୟାମର ସ୍ଥାୟିତ୍ୱ ନେଇ ମଧ୍ୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି ।

ଲିକେଜ୍ ଖୋଜି ବନ୍ଦ କରିବାରେ ଡ୍ୟାମ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ସ୍ଥାନୀୟ ଟିମ୍ ହାତ ଟେକି ଦେଇଛଥିବା ବେଳେ ଆନ୍ଧ୍ରପ୍ରଦେଶରୁ ସ୍ୱତନ୍ତ୍ର ଟିମ୍‌ ଆସି ଅନୁଧ୍ୟାନ କରିବା ପରେ ଯାହା କହିବେ, ସେହି ଅନୁସାରେ କାମ କରାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି ।

ତେଲେଙ୍ଗିରି ଡ୍ୟାମରୁ ଯେଉଁ ବେଗରେ ପାଣି ଲିକ୍ ହେଉଛି, ଅନୁମାନ କରାଯାଉଛି, ଆଗାମୀ ୨୦ ଦିନରେ ଡ୍ୟାମ ଖାଲି ହୋଇଯିବ । ଚାଷ ପାଇଁ ଜଳାଭାବ ଦେଖାଦେଇପାରେ।