କନକ ବ୍ୟୁରୋ : ଜଳ ହିଁ ଜୀବନ । ଗ୍ରୀଷ୍ମରେ ଜଳର ଆବଶ୍ୟକତା ଅଧିକ । ହେଲେ ରାଜ୍ୟରେ ଏମିତି ଏକ ଅଞ୍ଚଳ ଅଛି, ଯେଉଁଠି ଅଚଳ ହୋଇପଡ଼ିଛି ସରକାରୀ ପାନୀୟ ଜଳ ଯୋଗାଣ । ଗୋଟିଏ ନଳକୂପର ଦୂଷିତ ପାଣିରେ ବଞ୍ଚୁଛନ୍ତି ୨୦ ପରିବାର । ବଲାଙ୍ଗୀର ପାଟଣାଗଡ଼ ବ୍ଲକ ମୁଦଲସର ଗାଁ ଲକ୍ଷ୍ମୀନଗରରେ ଜଳଯନ୍ତ୍ରଣାର ଚିତ୍ର ।

Advertisment

ନଳକୂପରୁ ବାହାରୁଥିବା ଅପରିଷ୍କାର ପାଣି ନେବା ପାଇଁ ଧାଡ଼ିରେ ମହିଳା । କାରଣ ଏହାକୁ ଛାଡ଼ିଦେଲେ ପିଲାଛୁଆ ଶୋଷିଲା ରହିବେ । ପିଇବା ପାଣିର ଅନ୍ୟ କୌଣସି ସୁବିଧା ନାହିଁ । ତେଣୁ ବାଧ୍ୟ ହୋଇ ଏହି ନଳକୂପକୁ ଭରସା କରିଛନ୍ତି ପାଟଣାଗଡ଼ ବ୍ଲକ ମୁଦଲସର ଗାଁର ଲକ୍ଷ୍ମୀନଗର ପଡ଼ାବାସୀ । ନଳକୂପ ବାହାରୁଥିବା ଫ୍ଲୋରାଇଡ ଯୁକ୍ତ ପାଣି ପିଇଲେ ଦାନ୍ତ କଳା ପଡ଼ିଯାଉଛି, ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।

ମୁଦଲସର ଗାଁର ସରକାରୀ ଜାଗାରେ ରହୁଥିଲେ ଲକ୍ଷ୍ମୀନଗର ଗାଁର ୨୦ରୁ ଅଧିକ ପରିବାର । ପରେ ପ୍ରଶାସନ ତରଫରୁ ଗାଁ ଠାରୁ ୨କି.ମି ଦୂର ଛୋଟ ପାହାଡ଼ ଜମି ଯୋଗାଇ ଦେଇଛନ୍ତି ସରକାର । ଲୋକମାନେ ସରକାରୀ ଜମିରେ ସିନା ଘର କରି ରହୁଛନ୍ତି । କିନ୍ତୁ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ । ୨ ମାସ ହେବ ବନ୍ଦ ହୋଇ ଯାଇଛି ସରକାରୀ ଜଳ ଯୋଗାଣ । ଅନ୍ୟପଟେ ସରପଞ୍ଚ କହିଛନ୍ତି, ଏନେଇ ଅବଗତ ନଥିଲେ ।

ଲକ୍ଷ୍ମୀନଗରର ବାସିନ୍ଦା ଜୀବନ ଜିବୀକା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ଦିନକୁ ଦିନ ଖରାର ପ୍ରକୋପ ବଢ଼ୁଥିବାରୁ ତୁରନ୍ତ ପାଣି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି ।