କନକ ବ୍ୟୁରୋ : ମୁଖ୍ୟତଃ ପାଣି ସମସ୍ୟା ଖବର ଖରାଦିନେ ଆସେ । ଜଳ ଉତ୍ସ ସବୁ ଶୁଖିଯିବାରୁ ଲୋକେ ପାଣି ପାଇଁ ହଇରାଣ ହୁଅନ୍ତି । ଏବେ ସ୍ଥିତି ବଦଳି ଯାଇଛି । ଶୀତଦିନେ ବି ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ବାଲେଶ୍ୱର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ତୋଷପୁର ଗାଁରୁ ଆସିଥିବା ଅଭିଯୋଗ ଏହାର ସଦ୍ୟ ଏକ ଉଦାହରଣ ।

Advertisment

ସନ୍ତୋଷପୁର ପଞ୍ଚାୟତର ଲୋକଙ୍କ ଶୋଷ ମେଣ୍ଟାଇବାକୁ ବସୁଧା ଯୋଜନାରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ପାଇପ ସଂଯୋଗ ହୋଇନାହିଁ । ତେଣୁ ନିର୍ମାଣର ବର୍ଷେ ପରେ ବି ଲୋକଙ୍କ ଘରେ ପାଣି ପହଞ୍ଚିପାରୁନାହିଁ । ସେପଟେ ପୂର୍ବରୁ ଥିବା ଯୋଜନା ଏବେ ଏକ ପ୍ରକାର ଅଚଳ । ମରାମତି ଅଭାବରୁ ସ୍ୱଜଳ ଧାରା ପାଇପ୍ ଜାମ ହୋଇଯାଇଛି । ସେଥିରେ ଖୁବ୍‌କମ ପାଣି ବାହାରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସନ୍ତୋଷପୁରା ଗାଁରେ ପାଣି ଟାଙ୍କି ହେଲେ ପୁରା ପଞ୍ଚାୟତର ଜଳ କଷ୍ଟ ଦୂର ହେବ । ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ହେଲା । ୨ ହଜାରରୁ ଅଧିକ ଲୋକଙ୍କ ଶୋଷ ମେଣ୍ଟିବ ବୋଲି ଆଶା ଥିଲା । କିନ୍ତୁ ସେମିତି କିଛି ହେଲା ନାହିଁ । ଦେଢ଼ କୋଟି ଟଙ୍କାର ପ୍ରକଳ୍ପରେ ପାଇପ ସଂଯୋଗ ନକରି ଠିକାଦାର ଚାଲିଯାଇଛି । ଠିକାଦାରଙ୍କ ମନମାନି ଯୋଗୁଁ କାମ ପଛେଇ ଯାଇଥିବା କହଛନ୍ତି ସରପଞ୍ଚ । ସ୍ଥାନୀୟ ଲୋକ ବିକ୍ଷୋଭ କରିବାକୁ ସଜବାଜ ହେଉଥିବା ବେଳେ ଜଳେଶ୍ୱର ଗ୍ରାମ୍ୟ ଜଳ ପରିମଳ ବିଭାଗର ନିର୍ବାହୀ ଅଧିକାରୀ କହିଛନ୍ତି ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ପ୍ରକଳ୍ପ ।

ବସୁଧା ପାଣି ମିଳୁନି, ସ୍ୱଜଳ ଧାରା ଧିମେଇ ଯାଇଛି । ସେପଟେ ୬ଟି ନଳକୂପ ବି ଅଚଳ । ଏସବୁକୁ ଦୃଷ୍ଟିରେ ରଖି ତୁରନ୍ତ ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।