କନକ ବ୍ୟୁରୋ : ୱାଟର ଏଟିଏମ୍ ଅଚଳ ହୋଇପଡିବା ଯୋଗୁ ଲୋକଙ୍କୁ ବିଶୁଦ୍ଧ ପାଣି ମିଳିପାରୁନି । ବଲାଙ୍ଗିର କଂଟାବାଞ୍ଜିରେ ଜଳ ହିଁ ଜୀବନ ଯୋଜନାରେ ପାଣି ଏଟିଏମ ତିଆରି ହୋଇଛି । ୧ ଟଙ୍କା ରେ ଥଣ୍ଡା ବିଶୁଦ୍ଧ ପାଣି ଯୋଗାଇ ଦେବାର ବ୍ୟସସ୍ଥା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା । ସହରର ଡାକ୍ତରଖାନା ପାଖ, ଗୋରୁବଜାର ଯିବାରାସ୍ତା ଓ ସାପ୍ତାହିକ ବଜାରରେ ଏହି ପାଣି ଏଟିଏମ ତିଆରି କରାଗଲା । ଆଶା କରାଯାଉଥିଲା ଏହି ମେସିନ ହେବା ଦ୍ଵାରା କଂଟାବାଞ୍ଜି ସହରକୁ ଆସୁଥିବା ଲୋକ ଚଢା ଦରରେ କୌଣସି ଦୋକାନରୁ ପାଣି ବୋତଲ ନ କିଣି ମାତ୍ର ୧ଟଙ୍କା ରେ ବିଶୁଦ୍ଧ ପାଣି ପାଇ ପାରିବେ । ହେଲେ କଣ୍ଟାବାଞ୍ଜି ଏନଏସି ର ଅବହେଳା ଯୋଗୁ ତାହା ଖତ ଖାଉଥିବା ଅଭିଯୋଗ ହେଉଛି ।
କଲ୍ୟାଣ ମଣ୍ଡପ ପାଖରେ ଥିବା ପାଣି ଏଟିଏମ୍ ଓ ସାଲେପଡା ଠାରେ ଥିବା ପାଣି ଏଟିଏମ୍ ରୁ ଚୋର ମାନେ ଲକ୍ ଭାଙ୍ଗି ଭିତର ସାମଗ୍ରୀ ଚୋରୀ କରି ନେଇଛନ୍ତି । ଏନେଇ ବହବୁାର ଜଣାଯାଇଛି । ପ୍ରଶାସନ ପକ୍ଷରୁ ଶୀଘ୍ର ପିଇବା ପାଣି ସୁବିଧା କରିବାକୁ ସାଧାରଣରେ ଦାବି ହେଉଛି । ହେଲେ ଏନେଇ କାହାର ଗୁରୁତ୍ବ ନାହିଁ । ପ୍ରତିଥର ଭଳି ଚଳିତଥର ବି ସମସ୍ୟାକୁ ଏଡାଇ ଦିଆଯାଇଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସରକାର ଲୋକଙ୍କ ପାଇଁ ବିଶୁଦ୍ଧ ପାଣି ବ୍ୟବସ୍ଥା କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଅଚଳ ୱାଟର ଏଟିଏମ୍ ସଜଡା ହୋଇପାରିଲାନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।