କନକ ବ୍ୟୁରୋ : ଆପଣ ଫୋନରେ ପର୍ଣ୍ଣୋଗ୍ରାଫି ସାଇଟ୍ ଭିଜିଟ୍ କରୁଛନ୍ତି କି ? ପର୍ଣ୍ଣୋଗ୍ରାଫି ଭିଡିଓ, ଫଟୋ କିମ୍ବା ଲିଙ୍କ ସେୟାର କରୁଛନ୍ତି କି?  କିମ୍ବା ସୋସିଆଲ୍ ମିଡିଆରେ ଥିବା ବିଭିନ୍ନ ଗ୍ରୁପରେ ଆଡମିନ୍ ରହି ଅଶ୍ଳୀଳ ଭିଡିଓ ଫରୱାର୍ଡ କରୁଛନ୍ତି କି ? ଯଦି ଏଭଳି କିଛି କରୁଥାନ୍ତି, ତାହାଲେ ଟିକିଏ ସାବଧାନ ହୋଇଯାନ୍ତୁ। ନହେଲେ, ଏମାନଙ୍କ ଭଳି ଆପଣଙ୍କୁ ଜେଲ ଯିବାକୁ ପଡିପାରେ।  କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମାତନଗରର ସୟଦ୍ ଖାଁ। ଆଉ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳର ମୁକେଶ ବାରିକ । ଏମାନେ ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ ସରକାରଙ୍କ ଦ୍ବାରା ନିଷିଦ୍ଧ କରାଯାଇଥିବା ବିଭିନ୍ନ ଅଶ୍ଳୀଳ ୱେବସାଇଟକୁ ବାରମ୍ବାର ଖୋଲି ଭିଡିଓ ଦେଖିବା, ଅଶ୍ଳୀଳ ୱେବସାଇଟକୁ ବିଭିନ୍ନ ଗ୍ରୁପରେ ସେୟାର କରିବା, ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଡାଉନଲୋଡ୍ କରି ଭାଇରାଲ କରିବା, ଏବଂ ନାବାଳକ, ନାବାଳିକା ଓ ଶିଶୁଙ୍କୁ ନେଇ ତିଆରି ହୋଇଥିବା ଅଶ୍ଳୀଳ କଣ୍ଟେଣ୍ଟ୍ ଦେଖୁଥିଲେ। ପ୍ରମାଣ ମିଳିବା ପରେ ଦୁଇ ଅଭିଯୁକ୍ତ ଏବେ ଗିରଫ ହୋଇ ଜେଲରେ ଅଛନ୍ତି ।

Advertisment

ଅଧିକ ପଢ଼ନ୍ତୁ :  ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିରୋଧରେ କେନ୍ଦ୍ରର ନୂଆ ଯୋଜନା ! ଗୁଗଲ ଓ ଫେସବୁକକୁ ଦେଲେ ଗୁରୁଦାୟିତ୍ୱ

 ଶିଶୁ,ନାବାଳକ ଓ ନାବାଳିକାଙ୍କ ପର୍ଣ୍ଣୋଗ୍ରାଫି ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନସିଆରବି ଏବେ ଇଣ୍ଟରନେଟ୍ ଉପରେ କଡ଼ା ନଜର ରଖିଛି। କିଏ କେଉଁ ସାଇଟ୍ ଭିଜିଟ୍ କରୁଛି ?  କିଏ ଡାଉନଲୋଡ୍ କରୁଛି ? କିମ୍ବା କେହି ଏହି ସାଇଟକୁ ସେୟାର କରୁଛି?  ଏସବୁର ଡାଟା କ୍ରାଇମ୍ ବ୍ରାଞ୍ଚ ପାଇବା ପରେ, ସମସ୍ତ ଜିଲ୍ଲା ଓ କମିସନେରଟ୍ ପୁଲିସ ସର୍ଭେଲାନ୍ସକୁ ପଠାଉଛି ।  ତେବେ ପ୍ରତିବନ୍ଧକ ଲଗାଯାଇଥିବା କୌଣସି ବି ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର ନ କରିବାକୁ ପୁଲିସ ପକ୍ଷରୁ ସଚେତନ କରାଯାଇଛି । ସରକାରୀ ନିୟମ ଉଲଂଘନ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ବୋଲି ସାଇବର ବିଶେଷଜ୍ଞ କହିଛନ୍ତି ।  ରାଜ୍ୟରେ ପର୍ଣ୍ଣୋଗ୍ରାଫିକୁ ନେଇ ମାଳ ମାଳ ମାମଲା ଏବେ ସାମନାକୁ ଆସିଛି। ନିଜେ ସଚେତନ ହେବା ସହ ସତର୍କ ନ ରହିଲେ, ପକ୍ସୋ ଭଳି ସଙ୍ଗୀନ ମାମଲାରେ ବାନ୍ଧି ଜେଲ ପଠାଇବ ପୁଲିସ।