କନକବ୍ୟୁରୋ : ବିଜେଡି ପାୱାର କରିଡରର ବବି ଦାସ ନିର୍ଦ୍ଵନ୍ଦରେ ଓସିଏ ସଭାପତି ନିର୍ବାଚିତ ହେବା ପରେ ନୂଆ ପ୍ରତିଭା ସାମ୍ନାକୁ ଆଣିବା ସହ ପ୍ରତି ଜିଲ୍ଲାରେ ଟର୍ଫ ପିଚ ଓ ବାରବାଟୀ ଆଧୁନିକୀକରଣ ଭଳି ପ୍ରତିଶ୍ରୁତି ଦେଇଥିଲେ। ଆଉ ଏପର୍ଯ୍ୟନ୍ତ ତାହା ବାସ୍ତବ ରୂପ ନେଇ ପାରିନାହିଁ। ଯାହାକୁ ନେଇ କ୍ରୀଡାବିତ୍ ଓ କ୍ରୀଡ଼ା ସଙ୍ଗଠକ କହିଛନ୍ତି ଯେ ବାରବାଟୀ ମଇଦାନରେ ବବି ଫେଲ୍ ।
କଳିଙ୍ଗ ଷ୍ଟାଡିୟମ ପରି ବିଶ୍ବସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ, ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଭାପତି ଭାବେ ନିଦ୍ବର୍ନ୍ଦ୍ବରେ ନିର୍ବାଚିତ ହେବା ପରେ ଏହା କହିଥିଲେ ବବି ଦାସ । ଏହାରି ଭିତରେ ୨ ବର୍ଷ ବିତିଯାଇଛି ।
କିନ୍ତୁ ବାରବାଟୀର ଦୁଇଥର ବି ପାଦ ମାଡ଼ିନାହାନ୍ତି ବିଜେଡିର ଏହି ହେଭିୱେଟ୍ ନେତା। ଆଉ ବାରବାଟୀକୁ ବିଶ୍ବସ୍ତରୀୟ କରିବାର କାମ ମଧ୍ୟ ଆରମ୍ଭ ହୋଇପାରିନି । ଓସିଏ ସଭାପତି ଭାବେ ଯାହାଯାହା କାମ କରିବା କଥା, ତାହା କରିନାହାନ୍ତି ।
ନା ରିଭ୍ୟୁ ମିଟିଂ କରିଛନ୍ତି ନାଁ କୌଣସି ଜରୁରୀ ବୈଠକରେ ଯୋଗ ଦେଇଛନ୍ତି । ସବୁ ଜିଲ୍ଲାରେ ଟର୍ଫ କ୍ରିକେଟ ପିଚ ତିଆରି ହେବ। ତୃଣମୂଳ ସ୍ତରରେ ପ୍ରତିଭା ସୃଷ୍ଟି କରାଯିବ କହି ସଭାପତି ବବି ଦାସ କେବେବି ପୂର୍ବତନ କ୍ରିକେଟରଙ୍କୁ ଡାକି ଆଲୋଚନା ହିଁ କରିନାହାଁନ୍ତି ।
ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି କ୍ରିକେଟ ଆସୋସିଏସନର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇ ସୁଦ୍ଧା ଓଡିଶା କ୍ରିକେଟର ଉନ୍ନତି ପାଇଁ କିଛି କରି ନପାରିବା ତାଙ୍କ ବ୍ୟକ୍ତିଗତ ବିଫଳତା ସହ ଓଡିଶା କ୍ରିକେଟର ମଧ୍ୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଜେଡି ସଂଗଠନରେ ଦବଦବା ରଖୁଥିବା ପ୍ରଣବ ପ୍ରକାଶ ଦାସଙ୍କୁ ସଭାପତି କରି ବାରବାଟୀ ଓ ରାଜ୍ୟ କ୍ରିକେଟ ପାଇଁ ସରକାରୀ ସହୟତା ଆଶା କରିଥିବା ଗୋଷ୍ଠୀକୁ ମଧ୍ୟ ନିରାଶ ହେବାକୁ ପଡିଛି ।