କନକ ବ୍ୟୁରୋ : ପନିପରିବା ବର୍ଜ୍ୟରୁ ଉତ୍ପାଦନ ହେବ ବିଜୁଳି । ଉତ୍ପାଦିତ ବିଜୁଳିରେ ଚାଲିବ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର । ଏକ ନମ୍ବର ହାଟରେ ସ୍ଥାପନ ହେବ ସ୍ୱତନ୍ତ୍ର ବାୟୋଗ୍ୟାସ ପ୍ଲାଣ୍ଟ। ଏଭଳି କିଛି ପ୍ଲାନ କରୁଛି ଭୁବନେଶ୍ୱର ମହାନଗର ନିଗମ । ଏଠି ପ୍ରଶ୍ନ ସହର ଭିତରେ କେମିତି ହେବ ପ୍ଲାଣ୍ଟ । ପରିବେଶବିତ କହିଛନ୍ତି ତରବର ନ ହୋଇ ଦୀର୍ଘସ୍ଥାୟୀ ଯୋଜନା କରୁ ବିଏମସି ।
ବିଏମସି ତଣ୍ଟିରେ କଣ୍ଟା ସାଜିଛି ଆବର୍ଜନା ପରିଚାଳନା। ଏନେଇ ପୁଣି ଥରେ ଜନବସତି ଅଞ୍ଚଳରେ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଯୋଜନା କରୁଛି ଭୁବନେଶ୍ୱର ମହାନଗର ନିଗମ । ଏକ ନମ୍ବର ହାଟରେ ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍ । ସବୁଜ ବର୍ଜ୍ୟ ପ୍ରକ୍ରିୟାକରଣ କରି, ଉତ୍ପାଦନ ହେବ ମିଥେନ୍ ଗ୍ୟାସ୍ । ପ୍ରାୟ ୩୫ ଏକର ଜାଗାରେ ନିର୍ମାଣ ହେବ ପ୍ଲାଣ୍ଟ୍ । ଏଭଳି ଯୋଜନା କରିଛି ବିଏମସି । ହାଟରୁ ଦୈନିକ ବାହାରୁଥିବା ୩୦ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁରୁ ମିଥେନ୍ ଗ୍ୟାସ ଉତ୍ପାଦନ ଲକ୍ଷ୍ୟ ରଖିଛି ବିଏମସି ।
ପୂର୍ବରୁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ନେଇ ଅନେକ ସ୍ଥାନରେ ପ୍ରତିବାଦ ହୋଇଛି । ତେଣୁ ଜନବସତି ଅଞ୍ଚଳରେ କେମିତି ବାୟୋ ଗ୍ୟାସ୍ ପ୍ଲାଣ୍ଟ୍ ଯୋଜନା କରାଯାଉଛି ? ତରବର ନହୋଇ ଦୀର୍ଘସ୍ଥାୟୀ ଯୋଜନା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶବିତ୍ ।
ସବୁଠାରୁ ଉତ୍ତମ ପରିଚାଳନା ହେଉଥିବା ପ୍ରୋଜେକ୍ଟକୁ ଧ୍ୟାନରେ ରଖି ଏଠାରେ ମଡେଲ ପ୍ରସ୍ତୁତ ହେବ ବୋଲି କହିଛି ବିଏମସି। ଏବେ ଦେଖିବାର କଥା ଯୋଜନା କେତେଦୂର ଫଳପ୍ରଦ ହେଉଛି ।