କନକ ବ୍ୟୁରୋ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା ଥମିବାର ନାଁ ନେଉନି । ନ୍ୟାୟ ପାଇଁ ଅଡବସିଛନ୍ତି ଟ୍ରେନି ଡାକ୍ତରୀ ଟିମ୍ । ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ସ୍ଥିତି ଅସମ୍ଭାଳ ହେଲାଣି । ସେପଟେ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଚାହିଁଲେ ବି ତାଙ୍କ ସହ କୌଣସି ଆଲୋଚନା କରିବାକୁ ନାରାଜ ଡାକ୍ତରୀ ଟିମ୍ । କାରଣ ତାଙ୍କ କଥା ଉପରେ ଆସ୍ଥା ପ୍ରକଟ କରୁନାହାଁନ୍ତି ଡାକ୍ତରୀ ଦଳ ।
ଡାକ୍ତର ଟିମର ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ସନ୍ଧ୍ୟା ହେଲେ ବାଟ ଚାହିଁ ରହୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲେ ତାଙ୍କୁ ଭେଟିବାକୁ କେହି ବି ଡାକ୍ତରୀ ପ୍ରତିନିଧି ଆସୁନାହାଁନ୍ତି । ଫଳରେ ଆନ୍ଦୋଳନରତ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇପାରିନାହିଁ ।
ଜୁନିଅର ଡାକ୍ତର ଆଲୋଚନା ଲାଇଭ ଷ୍ଟ୍ରିମିଂ ଓ ଭିଡିଓ ରେକର୍ଡିଂ ପାଇଁ ଅଡି ବସିଥିଲେ । ମମତା ବୁଝାଇବାକୁ ଉଦ୍ୟମ କରିଥିଲେ ବି ଡାକ୍ତର ଶୁଣିନଥିଲେ । ହାତ ଯୋଡିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ଆନ୍ଦୋଳନକାରୀ ଡାକ୍ତର ଫେରିଯାଇଥିଲେ । କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସପିଟାଲରେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏହି ଡାକ୍ତର ଆନ୍ଦୋଳନ ଚଳାଇଛନ୍ତି । ଡାକ୍ତର ଇ-ମେଲ କରି କଥାବାର୍ତ୍ତା ପାଇଁ ସରକାରଙ୍କଠାରୁ ସମୟ ମାଗିଥିଲେ । ଏନେଇ ଶନିବାର ସନ୍ଧ୍ୟାରେ ଡାକ୍ତରମାନେ ଆସିଥିଲେ । କିନ୍ତୁ ଆଲୋଚନା ହୋଇପାରିନାହିଁ । ୫ଟି ଦାବି ନେଇ ଜୁନିୟର ଡାକ୍ତରମାନେ ୩୫ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ।
ଡାକ୍ତରମାନେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପ୍ରମାଣ ନଷ୍ଟ କରିଥିବା ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ସେହିଭଳି ମେଡିକାଲ କଲେଜର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । କୋଲକାତା ପୋଲିସ କମିଶନର ଓ ସ୍ୱାସ୍ଥ୍ୟ ସଚିବଙ୍କ ଇସ୍ତଫା ଦାବି । ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉ । ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ‘ଧମକ ସଂସ୍କୃତି’କୁ ଶେଷ କରାଯାଉ ବୋଲି ଡାକ୍ତର ଦାବି କରୁଛନ୍ତି।