କନକ ବ୍ୟୁରୋ : ବର୍ଷ ବର୍ଷ ଧରି ମିଶନ ଶକ୍ତିକୁ ଆସୁଥିଲା ହଜାର ହଜାର କୋଟି ଟଙ୍କା । ଯିଏ ଯେପରି ପାରୁଥିଲା କରୁଥିଲା ଟଙ୍କା ଖର୍ଚ୍ଚ । କାହାକୁ ଋଣ ଛାଡ କରାଯାଉଥିଲା ତ ପୁଣି କାହାକୁ ସବସିଡି ଆକାରରେ ମିଳୁଥିଲା ସହାୟତା । କହିବାକୁ ଗଲେ, ମିଶନ ଶକ୍ତି ପାଇଁ ରାଜ୍ୟ ରାଜକୋଷ ଖୋଲି ଦେଇଥିଲେ ପୂର୍ବ ସରକାର ।  କିନ୍ତୁ ଖର୍ଚ୍ଚ ହୋଇଥିବା ଟଙ୍କାର ନା ହିସାବ ରହୁଥିଲା ନା କେହି ଏହାର ତଦାରଖ କରୁଥିଲେ । କାରଣ ବିନା ରେଜିଷ୍ଟ୍ରେସନରେ ଚାଲୁଥିଲା ମିଶନ ଶକ୍ତି ଗ୍ରୁପ୍ । ରେଜିଷ୍ଟ୍ରେସନ ନଥିବାରୁ ଅଡିଟ୍ ହେଉନଥିଲା । ତେଣୁ ଏଥିରେ ଦୁନୀର୍ତିର ଗନ୍ଧ ବାରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହାସହ ଆଗକୁ ଏସ୍‌ଏଚ୍‌ଜିର ଢାଞ୍ଚା ବଦଳିବ ଏବଂ ସବୁଘରକୁ ଏଥିରେ ଯୋଡ଼ାଯିବ ବୋଲି କହିଛନ୍ତି ପ୍ରଭାତୀ । ଯାହାକୁ କଟାକ୍ଷ କରି ବିଜେଡି କହିଛି, ନବୀନ କରିଥିବା ଯୋଜନାର ଫାଇଦା ନେବାକୁ ଅପଚେଷ୍ଟା କରୁଛି ବିଜେପି । 

Advertisment

ଏପ୍ରିଲ ମାସ ସୁଦ୍ଧା ମିଶନ ଶକ୍ତିର ନବକଳେବର ହେବ । ଏନେଇ ପ୍ରଭାତୀ କହିଛନ୍ତି, 
- ଜିପିଏଲ୍‌ଏଫ୍‌ର ପୁରୁଣା ସଭାପତି ଓ ସମ୍ପାଦକଙ୍କୁ ବାହାର କରାଯିବ
- ଜିପିଏଲ୍‌ଏଫ୍, ସିଏଲ୍‌ଏଫ୍‌, ବିଏଲ୍‌ଏଫ୍‌ଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ମିଳିବ
- ୨ ଥର ୪ ବର୍ଷରୁ ଅଧିକ ଦାୟିତ୍ବରେ ରହିଥିଲେ ପଦରୁ ହଟିବେ
ମୋହନ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମିଶନ ଶକ୍ତି ମହିଳା । ପୂର୍ବ ସରକାର ମିଶନ ଶକ୍ତି ମହିଳାଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହେଉଥିଲା । କିନ୍ତୁ ନୂଆ ସରକାର ନୂଆ ଢାଞ୍ଚାରେ ଏସ୍‌ଏଚ୍‌ଜି ଗଠନ କରିବା ଦ୍ବାରା ମହିଳାମାନେ ସଶକ୍ତ ହେବେ ନା ପୂର୍ବ ଭଳି ଭୋଟବ୍ୟାଙ୍କ ଭଳି କାମ କରିବେ ତାହା ଦେଖିବାକୁ ବାକି ରହିଲା ।