କନକ ବ୍ୟୁରୋ: ଉପକୂଳରୁ ଉପାନ୍ତ ସବୁଠି ତାତି ତାଉ ଥିବାବେଳେ ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା । ଚଳିତ ସପ୍ତାହରେ ୪ ଦିନ ପାଇଁ ହିଟ ୱେଭ୍ ଓ୍ୱାର୍ଣ୍ଣିଂ ବା ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରିଛି ପାଣିପାଗ ବିଭାଗ । ୧୩,୧୪, ୧୫ ଓ ୧୬  ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଅସ୍ତବ୍ୟସ୍ତ କରିବ ବୋଲି କୁହାଯାଇଛି । ତେବେ ୪ ଦିନ ଯାଏଁ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଆସନ୍ତାକାଲି ଅର୍ଥାତ ୧୩ ତାରିଖରେ ବଲାଙ୍ଗୀର,ବୌଦ୍ଧ,  ସମ୍ବଲପୁର ଓ ଝାରସୁଗୁଡା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେହିପରି ୧୪ ତାରିଖରେ ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର ,ବୌଦ୍ଧ,ସୋନପୁର,ବରଗଡ଼,ସୁନ୍ଦରଗଡ ଓ ମୟୂରଭଞ୍ଜକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତିର ଅନୁଭବ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ, ଏନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା । ପାରଦ ୪୦ ଡିଗ୍ରୀ ଉପରକୁ ପାର୍ କରିବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସର୍ବାଧିକ ୩୫.୪ ଡିଗ୍ରୀ ଓ କଟକରେ ୩୫.୦  ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।