କନକ ବ୍ୟୁରୋ: ମେୟରଙ୍କ ଏକଚ୍ଛତ୍ରବାଦୀ ଶାସନ ବିରୋଧରେ ଏବଂ ପୁଣିଥରେ ମେୟର ଚୟନ ପ୍ରକ୍ରିୟା ଲାଗୁ କରିବା ଦାବିରେ ଆଜି (ସୋମବାର) ୱାର୍ଡ କାଉନସିଲରମାନେ ପାଟନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ କେବଳ ପାଟନା ନଗର ନିଗମର ୭୫ଟି ୱାର୍ଡର କାଉନସିଲର ନୁହନ୍ତି, ବରଂ ବିହାରର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ୱାର୍ଡ କାଉନସିଲରମାନେ ମଧ୍ୟ ଯୋଗ ଦେଇଥିଲେ । ଯାହାକୁ ନେଇ ଏନ୍ଡିଏର ଟେନ୍ସନ୍ ବଢ଼ିଯାଇପାରେ ।
ଆନ୍ଦୋଳନକାରୀମାନେ ଦରୋଗା ରାୟ ପଥରୁ ବାହାରି ଜେଡିୟୁ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେମାନେ ନିଜ ଦାବି ନେଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହାପରେ ବିଜେପି କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ । କାଉନସିଲରମାନେ କହିଛନ୍ତି ଯେ ସେମାନଙ୍କର ୫ଟି ଦାବି ରହିଛି । ସବୁଠାରୁ ପ୍ରମୁଖ ଦାବି ହେଉଛି ବିହାର ନଗରପାଳିକା ଅଧିନିୟମ ୨୦୦୭ର ଧାରା ୨୩କୁ ପୁନର୍ବାର ଲାଗୁ କରାଯାଉ । ଯେପରି ପୂର୍ବରୁ ୱାର୍ଡ କାଉନସିଲରଙ୍କୁ ମେୟର ବାଛିବାର ଅଧିକାର ଥିଲା, ତାହାକୁ ପୁଣି ଲାଗୁ କରାଯାଉ ।
କାଉନସିଲରମାନେ କହିଛନ୍ତି ଯେ ଏହି ଅଧିକାର ପୂର୍ବରୁ ଥିଲା, କିନ୍ତୁ ୨୦୨୨ ମସିହାରେ କାଉନସିଲରମାନଙ୍କଠାରୁ ଏହି ଅଧିକାର ଛଡ଼ାଇ ନିଆଯାଇଛି । ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରାଯାଇଥିବାରୁ ମେୟରମାନେ ମନ୍ମାନି କରୁଛନ୍ତି । ଏହାଦ୍ୱାରା ଜନହିତ କାର୍ଯ୍ୟ ପ୍ରଭାବିତ ହେଉଛି ଏବଂ ଦୁର୍ନୀତି ବୃଦ୍ଧି ପାଇଛି, ଯାହାର ଆମେ ବିରୋଧ କରୁଛୁ ।
ପାଟନା ନଗର ନିଗମର ୱାର୍ଡ ନମ୍ବର-୧୦ର କାଉନସିଲର ସୁନୀଲ କୁମାର କହିଛନ୍ତି, "ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଚୟନ କରିବାର ଅଧିକାର କେବଳ ୱାର୍ଡ କାଉନସିଲରମାନଙ୍କୁ ଦିଆଯାଉ, ଯେପରି ବିଧାୟକ ଏବଂ ସାଂସଦମାନଙ୍କର ରହିଛି । ଆମମାନଙ୍କୁ ମାସିକ ମାତ୍ର ୨,୫୦୦ ଟଙ୍କା ମାନଦେୟ ମିଳୁଛି, ଏହାକୁ ବୃଦ୍ଧି କରାଯାଉ ।" ଯଦି ସରକାର ଏହି ସବୁ ଦାବି ପୂରଣ ନ କରନ୍ତି, ତେବେ ଆଗାମୀ ନିର୍ବାଚନରେ ସରକାରଙ୍କୁ କାଉନସିଲରମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିବ ଏବଂ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହି ଚେତାବନୀ ଦ୍ୱାରା କାଉନସିଲରମାନେ ଏନଡିଏର ଚିନ୍ତା ବଢ଼ାଇ ଦେଇଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଏଭଳି ଦାବି ଓ ଆନ୍ଦୋଳନ ଏନ୍ଡିଏ ପାଇଁ ଶୁଭଙ୍କର ନୁହେଁ ।