କନକ ବ୍ୟୁରୋ: ପହଲଗାମ୍ରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହେବା ପରେ ଦିଲ୍ଲୀରେ ବଡ଼ ହଲଚଲ ଆରମ୍ଭ ହୋଇଛି । ଘଟଣାକୁ ତୀବ୍ର ନିନ୍ଦା କରିବା ପରେ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ ହେବା ନେଇ ମୋଦୀ କହିସାରିଛନ୍ତି । ଆଗାମୀ ରଣନୀତି କଣ ହେବ ସେନେଇ ଦିଲ୍ଲୀରେ ଘନଘନ ବୈଠକ ବସିବା ସହ ତୁରନ୍ତ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଯୁଦ୍ଧ ହେବା ନେଇ ବି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଯଦି ଯୁଦ୍ଧ ହେବ ତେବେ କାହାର ଶକ୍ତି ବର୍ତ୍ତମାନ କେତେ ସେନେଇ ବି ଚର୍ଚ୍ଚା ଚାଲିଛି । ତେବେ ଆସନ୍ତୁ ଜାଣିବା କାହାର ଅଛି କେତେ ଶକ୍ତି ?
ପହଲଗାମ୍ ହମଲା ପରେ…
ମୁହାଁମୁହିଁ ଭାରତ-ପାକିସ୍ତାନ
ଯଦି ଯୁଦ୍ଧ ହୁଏ, ତେବେ…
ଭାରତ ସହ ପାକିସ୍ତାନର ତୁଳନା କରିବା ହିଁ ମୁର୍ଖାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସ୍ଥଳସେନା କଥା ଯଦି କହିବା, ତେବେ ଭାରତ ପାଖରେ ଯେତିକି ସ୍ଥଳସେନାର ସୈନ୍ୟ ଅଛନ୍ତି ପାକିସ୍ତାନ ପାଖରେ ତାହାଠାରୁ ଅଧା ବି ନାହାନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଭାରତ ପୂରା ବିଶ୍ବରେ ଦ୍ବିତୀୟ ସୈନ୍ୟ ଶକ୍ତିର ପରିଚୟ ପାଇଛି । ମୋଟ୍ ୧.୪୪ ମିଲିୟନ ସକ୍ରିୟ ସୈନ୍ୟବାହିନୀ ଅଛନ୍ତି । ତା' ସାଙ୍ଗକୁ ୪ ହଜାର ୫୦୦ ଟି ଟ୍ୟାଙ୍କର, ୫୩୮ ଟି ଲଢ଼ୁଆ ବିମାନ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ମିସାଇଲ୍ ସିଷ୍ଟମ୍ ରହିଛି ।
ଖାଲି ଏତିକି ନୁହେଁ ବରଂ ଭାରତୀୟ ସ୍ଥଳସେନା କଥା ଯଦି ଦେଖିବା ତେବେ ୧.୪୪ ମିଲିୟନ ସକ୍ରିୟ ସୈନ୍ୟ ସହ ୧.୧୫ ମିଲିୟନ ରିଜର୍ଭରେ ଅଛନ୍ତି । ସେହିପରି ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକବାହିନୀ, ହାଇ ଟେକ୍ନୋଲୋଜି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯେଉଁଥିରେ ଅର୍ଜୁନ ମେନ୍ ଯୁଦ୍ଧ ଟ୍ୟାଙ୍କ, T-୯୦ "ଭୀମ" ଟ୍ୟାଙ୍କ, ପିନାକ ମଲ୍ଟି-ବ୍ୟାରେଲ ରକେଟ୍ ଲଞ୍ଚର୍, ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍, ହାୱିଜର୍ସ ଏବଂ ଅନ୍ୟାନ୍ୟ ଆଧୁନିକ ତୋପ ରହିଛି ।
ଇଏ ତ ଗଲା ସ୍ଥଳସେନାର କଥା…ସ୍ଥଳସେନା ସହିତ ବାୟୁସେନା, ନୌସେନା ବି କିଛି କମ୍ ନୁହେଁ । କୁହାଯାଏ କି ଭାରତର ଏୟାରଫୋର୍ସକୁ ଶତ୍ରୁ ପକ୍ଷର ପ୍ରବଳ ଡର । ଦେଶର ମୋଟ ୨ ହଜାର ୨୨୯ ବିମାନ, ୬୦୦ ଯୁଦ୍ଧ ବିମାନ, ୮୩୧ ସହାୟକ ବିମାନ, ୮୯୯ ହେଲିକପ୍ଟର ରହିଛି । ଏହାସହ ରାଫେଲ, ମିରାଜ୍ ୨୦୦୦, ମିଗ୍-୨୯, ସୁଖୋଇ ସୁ-୩୦ ଏମକେଆଇ ବି ଅଛି । ଏହାବାଦ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍, ବ୍ରହ୍ମୋସ୍, ଆଣ୍ଟି-ରେଡିଏସନ ମିସାଇଲ୍, ରୁଦ୍ରମ୍, ଏୟାର୍-ଟୁ-ଏୟାର୍ ମିସାଇଲ୍, ସବସୋନିକ କ୍ରୁଜ୍ ମିସାଇଲ୍ ନିର୍ଭୟ, ସରଫେସ୍-ଟୁ-ଏୟାର୍ ଡିଫେନ୍ସ ସିଷ୍ଟମ୍ ଆକାଶ ରହିଛି ।
ସ୍ଥଳସେନା, ବାୟୁସେନା ଯେମିତି ଶକ୍ତିଶାଳୀ ଠିକ୍ ସେମିତି ନୌସେନା ବି ପଛରେ ନାହିଁ । ମୋଟ୍ ୧ ଲକ୍ଷ ୪୨ ହଜାର ୨୫୧ ନୌସେନା କର୍ମଚାରୀ ଅଛନ୍ତି ଭାରତ ପାଖରେ । ପ୍ରାୟ ୧୫୦ ଯୁଦ୍ଧଜାହାଜ, ଏଟୋମିକ ସବମାରିନ୍ ବା ପରମାଣୁ ବୁଡ଼ାଜାହଜ, ୨ ବିମାନ ବାହକ- INS ବିକ୍ରମାଦିତ୍ୟ ଏବଂ INS ବିକ୍ରାନ୍ତ ରହିଛି ।
ପାକିସ୍ତାନ ପାଖରେ ଅଛି କଣ ?
ଯେବେ ଯେବେ ଭାରତ ସହ ପାକିସ୍ତାନର ଯୁଦ୍ଧ ହୋଇଛି ସେବେ ସେବେ ପାକିସ୍ତାନ ଧୂଳି ଚାଟିଛି । ବାରମ୍ବାର ହାରିବା ପରେ ପାକିସ୍ତାନର ବୁଦ୍ଧି ଉଦୟ ହେଉନି ଯେ ଏବେ ପୁଣି ଥରେ ଭାରତ ସହ ଲାଗୁଛି । ଯଦି ଏଥର ବି ଯୁଦ୍ଧ ହୁଏ ତେବେ କାଙ୍ଗାଳ ପାକିସ୍ତାନ ପୁଣି ଥରେ ଧୂଳି ଚାଟିବ ଏଥିରେ କୌଣସି ସନ୍ଦେହ ନାହିଁ । ସୂଚନା ଅନୁସାରେ, ପାକିସ୍ତାନର ମୋଟ ୧ ହଜାର ୪୩୪ଟି ବିମାନ ଅଛି । ଯେଉଁଥିରେ, ୩୮୭ ଲଢ଼ୁଆ ବିମାନ, ୬୦ ପରିବହନ ଏୟାରକ୍ରାଫ୍ଟ, ୫୪୯ ଟ୍ରେନର ଏୟାରକ୍ରାଫ୍ଟ, ୩୫୨ ହେଲିକପ୍ଟର, ୫୭ ଆଟାକ୍ ହେଲିକପ୍ଟର, ୪ଟି ଏରିଅଲ୍ ଟ୍ୟାଙ୍କର୍ ଅଛି ।
ଠିକ୍ ସେମିତି, ପାକିସ୍ତାନର ସ୍ଥଳସେନା ପାଖରେ ୩ ହଜାର ୭୪୨ ଟ୍ୟାଙ୍କ, ୫୦ ହଜାର ୫୨୩ ଯୁଦ୍ଧାସ୍ତ୍ର ପରିବହନକାରୀ ଭେଇକିଲ୍, ୭୫୨ ସ୍ୱୟଂ-ଚାଳିତ ତୋପ,୬୯୨ ମୋବାଇଲ୍ ରକେଟ୍ ଲଞ୍ଚର୍ ରହିଛି । ସେହିପରି ନୌସେନା ପାଖରେ ୧୧୪ ଟି ନୌସେନା ଜାହାଜ, ୮ ବୁଡ଼ାଜାହାଜ, ୯ ଯୁଦ୍ଧଜାହଜ ସହ ଅନେକ ସ୍ୱଦେଶୀ ଏବଂ ଆମଦାନୀ ହୋଇଥିବା କ୍ଷେପଣାସ୍ତ୍ର ରହିଛି । ମୋଟ୍ ଉପରେ ଭାରତ ସାମ୍ନାରେ ତିଷ୍ଠିପାରିବନି ପାକିସ୍ତାନ । ଏହାପରେ ବି ପ୍ରକୃତି ଛାଡୁନି ପଡ଼ୋଶୀ । ତେବେ ଆଗାମୀ ଦିନରେ ଯୁଦ୍ଧ ହେଉଛି କି ନାହିଁ ତାହା ସମୟ କହିବ ।