କନକ ବ୍ୟୁରୋ : କେବଳ ତୈଳ, ସୁନା କି ସେୟାର ବଜାର ନୁହେଁ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟାର ସିଧା ପ୍ରଭାବ ପଡ଼ିଛି ଭାରତର ବାସୁମତୀ ଚାଉଳ ରପ୍ତାନୀ ଉପରେ । ଯୁଦ୍ଧ ଯୋଗୁ ଜାହାଜ ଚଳାଚଳ କଂପାନୀ ଗୁଡ଼ିକ ନିଜର କାର୍ଗୋ ଗୁଡ଼ିକୁ ମଝି ସମୁଦ୍ରରେ ଅଟକାଇ ଦେଇଛନ୍ତି । ବନ୍ଦରରେ ବି ଅଟକି ରହିଛି ବାସୁମତୀ । ଯାହାକି ସିଧାସଳଖ ଭାରତୀୟ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଭୀଷିକାର ସିଧା ପ୍ରଭାବ ପଡ଼ିଛି ଭାରତର ବାସୁମତୀ ଚାଉଳ ଉପରେ । ବିଶ୍ୱର ୭୦ ପ୍ରତିଶତ ବାସମତୀ ଆମ ଦେଶରେ ଉତ୍ପାଦନ ହୁଏ । ଭାରତର ୫୦ ପ୍ରତିଶତ ବାସମତୀ ରପ୍ତାନୀ ହୁଏ ୫ଟି ମଧ୍ୟପ୍ରାଚ୍ୟ ଦେଶକୁ । ସାଉଦି ଆରବ, ଇରାନ, ଇରାକ, ୟୁଏଇ ଓ ୟେମେନ । ତେବେ ଇରାନ-ଇସ୍ରାଏଲ୍ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ, ଭୀଷଣ ଚିନ୍ତାରେ ଘାରି ହେଉଛନ୍ତି ଦାମୀ ଚାଉଳର ରପ୍ତାନୀକାରୀ । କାରଣ ମଧ୍ୟପ୍ରାଚ୍ୟ ଓ ଆଫଗାନିସ୍ତାନ ଅଭିମୁଖେ ପଠାଯାଇଥିବା ୬୦ ରୁ ୭୦ ହଜାର ଟନ୍ ବାସମତୀ ବୋଝେଇ ଜାହାଜ, ଇରାନର 'ବନ୍ଦର ଆବାସ୍'ରେ ପହଞ୍ଚିବା ଆଗରୁ ଅଟକି ରହିଛି। ସମୁଦ୍ର ମଝିରେ ଫସି ରହିଥିବାରୁ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। ଏତେ ଚାଉଳ ନେବାକୁ କୌଣସି ବିକଳ୍ପ ବଜାର ବି ନାହିଁ । ଏପଟେ ପ୍ରାୟ ୪ ଲକ୍ଷ ଟନ୍ ଚାଉଳ ବିଭିନ୍ନ ଭାରତୀୟ ବନ୍ଦର ଓ ଟ୍ରକରେ ବି ପଡ଼ି ରହିଛି। ଷ୍ଟ୍ରେଟ୍ ଅଫ୍ ହରମୁଜ ଜଳପଥ ବନ୍ଦ ଥିବାରୁ, ରପ୍ତାନୀକାରୀମାନେ ନୂଆ ବରାଦ ଗ୍ରହଣ କରୁନାହାନ୍ତି ।
ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଓମାନ ଉପସାଗରରେ ଯୁଦ୍ଧଜାହାଜ ମୁତୟନ କଲା ଭାରତ: ଆଲର୍ଟ ମୋଡ୍ରେ ଭାରତୀୟ ନୌସେନା
ଭାରତରେ ଚାଷ ହୁଏ ସର୍ବାଧିକ ଲମ୍ୱା ଚାଉଳ କିସମର ବାସୁମତୀ । ଏଥିରୁ ପ୍ରସ୍ତୁତ ହୁଏ ମଧ୍ୟପ୍ରାଚ୍ୟବାସୀଙ୍କ ପସନ୍ଦର ଖାଦ୍ୟ ବିରିୟାନୀ ଓ ପିଲାଫ୍ । ପଞ୍ଜାବ ଓ ହରିୟାଣାରୁ ଦେଶର ପ୍ରାୟ ୭୫ ପ୍ରତିଶତ ବାସୁମତୀ ରପ୍ତାନୀ ହୁଏ । ୨୦୨୪-୨୫ରେ ଭାରତ ୫୦ ହଜାର କୋଟି ଟଙ୍କାର ପ୍ରାୟ ୬୦ ଲକ୍ଷ ଟନ୍ ବାସୁମତୀ ରପ୍ତାନୀ କରିଥିଲା । ୨୦୨୫ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ମଧ୍ୟପ୍ରାଚ୍ୟକୁ ୨୭ ହଜାର ୧୯୭ କୋଟି ବାସୁମତୀ ଚାଉଳ ରପ୍ତାନୀ ହୋଇଥିଲା । କେବଳ ଇରାନ ଏକାକୀ ୬ ହଜାର କୋଟିର ଦାମୀ ଚାଉଳ ଆମଦାନୀ କରିଥିଲା । ତେବେ ଯୁଦ୍ଧସ୍ଥିତି ଯୋଗୁଁ ପାଉଣା ପାଇବାରେ ବିଳମ୍ୱ, ଜାହାଜ ଚଳାଚଳରେ ସମସ୍ୟା ଆଦି ଚିନ୍ତା ବଢ଼ାଇଛି । ଭାରତୀୟ ଚାଉଳ ରପ୍ତାନୀକାରୀ ମହାସଂଘ ଏହାର ସଦସ୍ୟ ମାନଙ୍କୁ ନୂଆ ରପ୍ତାନୀ ବରାଦ ଗ୍ରହଣ କରିବାକୁ ମନା କରିଛି । ଯଦି ଯୁଦ୍ଧ ଆଗକୁ ଲାଗି ରୁହେ, ରପ୍ତାନୀକାରୀମାନେ କ୍ଷତି ସହିବେ ଏବଂ ଏହାର ସିଧା ପ୍ରଭାବ ପଡ଼ିବ ଚାଷୀଙ୍କ ଉପରେ ।
Follow Us