କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟ ପରେ ଦକ୍ଷିଣ ଏସିଆରେ ଯୁଦ୍ଧର ପଦଧ୍ବନି । ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି । ଆଜି ଦୁଇ ପଡ଼ୋଶୀ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । କାମ୍ବୋଡ଼ିଆ ରକେଟ୍ ମାଡ଼ କରି ଥାଇଲାଣ୍ଡର ନାଗରିକଙ୍କୁ ହତ୍ୟା କରିବା ପରେ ଗୁରୁବାର ଥାଇଲାଣ୍ଡ କାମ୍ବୋଡିଆର ସାମରିକ ଘାଟିକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଛି ।
ଏଫ୍-୧୬ ଯୁଦ୍ଧ ବିମାନରେ ଥାଇଲାଣ୍ଡ କାମ୍ବୋଡିଆ ଉପରେ ଆକ୍ରମଣ କରିଛି । ଏମିରାଲ୍ଡ ଟ୍ରାଏଙ୍ଗଲ ନାମକ ଏକ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ୧୫ ବର୍ଷ ଧରି ବିବାଦ ଲାଗିରହିଛି । ଏମିରାଲ୍ଡ ଟ୍ରାଏଙ୍ଗଲରେ ଥାଇଲାଣ୍ଡ-କାମ୍ବୋଡ଼ିଆ ଏବଂ ଲାଓସର ସୀମା ମିଶୁଛି, ଯେଉଁଠାରେ ଅନେକ ପ୍ରାଚୀନ ମନ୍ଦିର ଅଛି। ଛଅଟି ଯୁଦ୍ଧ ବିମାନ ଦ୍ବାରା ଥାଇଲାଣ୍ଡ ପକ୍ଷରୁ କାମ୍ବୋଡିଆନ୍ ସେନା ଶିବିର ଉପରେ ଆକ୍ରମଣ କରାଯାଇଥିବା ଥାଇ ସେନା କହିଛି । ଥାଇଲାଣ୍ଡର ସୁରିନ ପ୍ରଦେଶ ଏବଂ କାମ୍ବୋଡିଆର ଓଡାର ମିଞ୍ଚେ ସୀମାରେ ଉଭୟ ଦେଶ ପରସ୍ପରକୁ ଆକ୍ରମଣ କରିଛନ୍ତି । ଥାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, କାମ୍ବୋଡ଼ିଆ ସେନାରେ ଗୁଳି ମାଡ଼ରେ ସୀମା ପାର୍ଶ୍ୱରେ ଥିବା ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ତିନିଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ଅଛି । ତେବେ ଉଭୟ ପକ୍ଷ ଅନ୍ୟ ପକ୍ଷକୁ ଯୁଦ୍ଧ ଆରମ୍ଭ କରିଥିବା ନେଇ ଅଭିଯୋଗ କରିଛନ୍ତି ।
ଥାଇ ସେନା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭.୩୫ ରେ ସଂଘର୍ଷ ଆରମ୍ଭ ହୋଇଥିଲା । କାମ୍ବୋଡିଆନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଥାଇ ସେନା କାମ୍ବୋଡିଆ ଆଞ୍ଚଳିକ ଅଖଣ୍ଡତା ଉଲ୍ଲଂଘନ କରିଛି, କାରଣ ସେମାନେ ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ନିୟୋଜିତ ହୋଇଥିବା କାମ୍ବୋଡିଆନ ସେନା ଉପରେ ଏକ ସଶସ୍ତ୍ର ଆକ୍ରମଣ କରିଛନ୍ତି । ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି, ପରିସ୍ଥିତିକୁ ସତର୍କତାର ସହିତ ନିୟନ୍ତ୍ରଣ କରାଯିବା ଆବଶ୍ୟକ ଏବଂ ଆମେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍ । କିନ୍ତୁ ଆମେ ଆମର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ଆମର ସର୍ବୋତ୍ତମ ପ୍ରୟାସ କରିବୁ ।