କନକ ବ୍ୟୁରୋ : ୱାକଫ୍ ବିଲ୍‌ ଲୋକସଭାରେ ପାସ୍ ହେବା ପରେ ରାଜ୍ୟସଭାରେ ବିଲ୍‌କୁ ନେଇ ହୋଇଛି ସରଗରମ ଆଲୋଚନା । କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ ୱାକଫ୍ ସଂଶୋଧନ ବିଲ୍ ୨୦୨୪କୁ ରାଜ୍ୟସଭାରେ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ଜୋରଦାର ବିରୋଧ କରିଛନ୍ତି । ବିଜେଡି ପକ୍ଷରୁ ସାଂସଦ ମୁନ୍ନା ଖାନ୍ ଆଲୋଚନାରେ ଭାଗ ନେଇ ବିଲ୍‌କୁ ବିରୋଧ କରିଛନ୍ତି । ସାରା ଭାରତରେ ସବୁ ଧର୍ମ ମଧ୍ୟରେ ଭାଇଚାରା ଥିବା ବେଳେ ଏହି ଆଇନକୁ କାହିଁକି ମୁସଲମାନ ମାନଙ୍କ ଉପରେ ଲଦି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁ ଧର୍ମର ଲୋକ ଆଗକୁ ବଢ଼ିବା ସରକାରଙ୍କ ଦାୟିତ୍ବ ହେବା ଉଚିତ୍ ବୋଲି କହିଛନ୍ତି ବିଜେଡି ସାଂସଦ ମୁନା ଖାନ୍‌ ।

Advertisment

ୱାକଫ୍ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ସିପିଆଇ, ଆରଜେଡି, ୱାଇଏସଆର କଂଗ୍ରେସ, ଆପ୍‌, ଆରଜେଡି, ଜେଏମ୍‌ଏମ୍ ଭଳି ବିଭିନ୍ନ ଦଳ । ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ କଟାକ୍ଷ କରି କହିଛନ୍ତି, ମୁସଲିମ୍ ସଂପ୍ରଦାୟ ପାଇଁ ଏତିକି ଚିନ୍ତା ମହମ୍ମଦ ଅଲ୍ଲୀ ଜିନ୍ନା ବି କରିନଥିଲେ, ଯାହା ମୋଦୀ ସରକାର କରୁଛନ୍ତି । ରାଜ୍ୟସଭାରେ ବିଲ ପାସ ହେବା ପାଇଁ ଏନଡିଏ ପାଖରେ ଆବଶ୍ୟକ ସଂଖ୍ୟା ରହିଛି । ୨୩୬ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ ପାସ ହେବାକୁ ଏନଡିଏକୁ ୧୧୯ ଭୋଟର ଆବଶ୍ୟକତା ରହିଛି । ଏନଡିଏ ପାଖରେ ୧୨୫ ଭୋଟ ଥିବାବେଳେ ବିରୋଧୀଙ୍କ ପାଖରେ ୯୫ ଏବଂ ୧୬ ନିରପେକ୍ଷ ସାଂସଦ ଅଛନ୍ତି । କିନ୍ତୁ ରାଜ୍ୟସଭାରେ ୱାକଫ୍ ବିଲ୍ ବିତର୍କରେ ବିଜେପିକୁ କଡା ଜବାବ ଦେଇଛି କଂଗ୍ରେସ। ଆଲୋଚନା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ବିଜେପି ସାଂସଦ ଅନୁରାଗ ଠାକୁର । ଦୀର୍ଘ ୧୨ ଘଣ୍ଟା ଧରି ମାରାଥନ୍ ଆଲୋଚନା ପରେ ଗତକାଲି ଲୋକସଭାରେ ପାରିତ ହୋଇଥିଲା ୱାକଫ୍ ବିଲ୍ । ବିଲ୍‌ ସପକ୍ଷରେ ୨୮୮ ଜଣ ଭୋଟ୍‌ ଦେଇଥିବା ବେଳେ ବିପକ୍ଷରେ ୨୩୨ ଜଣ ଭୋଟ୍‌ ଦେଇଥିଲେ ।