କନକ ବ୍ୟୁରୋ: ସଂସଦରେ ହଙ୍ଗାମାକୁ ନେଇ ବାରମ୍ବାର ରାଜନୀତି କରାଯାଉଥିବା ବେଳେ ଏବେ ଜେପିସି ବୈଠକରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମଳିଛି । ୱାକଫ ସଂଶୋଧନ ବିଲକୁ ନେଇ ବସିଥିବା ଜେପିସି ବୈଠକରେ ଆଜି ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ପରିସ୍ଥିତି ଏଭଳି ହୋଇଥିଲା କି, ବୈଠକକୁ ମାର୍ସାଲମାନଙ୍କୁ ଡାକିବାକୁ ପଡିଥିଲା । ଶେଷରେ ବୈଠକରୁ ଅସଦୁଦ୍ଦିନ ଓୱେସି, କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଜେପିସି ସଦସ୍ୟତାରୁ ଗୋଟିଏ ଦିନ ପାଇଁ ନିଲମ୍ବନ କରାଯାଇଛି । 

Advertisment

ବୈଠକ ଚାଲିଥିବା ବେଳେ ବିରୋଧୀ ସାଂସଦମାନେ ଅଭିଯୋଗ କରିଥିଲେ କି ସେମାନଙ୍କ ମତାମତକୁ ଶୁଣାଯାଉନାହିଁ । ଏନେଇ ହଙ୍ଗାମା ହେବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ରଖିଥିବା ବେଳେ ଅଧ୍ୟକ୍ଷ ଜଗଦମ୍ବିକା ପାଲ ଏହି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରି ୧୦ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । 

ନିଲମ୍ବିତ ହୋଇଥିବା ବିରୋଧୀ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ଅସଦୁଦ୍ଦିନ ଓୱେସୀ, ଇମ୍ରାନ ମାସୁଦ, କଲ୍ୟାଣ ବାନାର୍ଜୀ, ଅରବିନ୍ଦ ସାୱନ୍ତ, ନାସିର ହୁସେନ, ଏ ରାଜା, ମୋହିବିଲ୍ଲା ନଦଭି, ଏମଏମ୍ ଅବଦୁଲ୍ଲା, ନାଦିମୁଲ ହକ୍ ଏବଂ ମହମ୍ମଦ ଜାଭେଦ । ଆଜି ନୁହେଁ ଏହା ପୂର୍ବ ବୈଠକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ନିଲମ୍ବିତ ହୋଇଥିବା ସଦସ୍ୟଙ୍କ ମଧ୍ୟରୁ ଅରବିନ୍ଦ ସାୱନ୍ତ କହିଛନ୍ତି କି, ସମୟ ଦିଆଯାଉନାହିଁ, ସରକାରୀ ସାଂସଦମାନେ ତରବରିଆ ହେଉଛନ୍ତି ।