କନକ ବ୍ୟୁରୋ : ବର୍ତ୍ତମାନର ଧାଁଦୌଡ଼ ଜୀବନ ଭିତରେ ପ୍ରତିଟି ଲୋକ ଶାନ୍ତିର ସନ୍ଧାନରେ ରହିଛନ୍ତି । ପ୍ରତିଯୋଗିତାମୂଳକ କର୍ମମୟ ଜୀବନ ଭିତରୁ କିଛି ସମୟ ପାଇଲେ କିଏ ହିଲ୍ ଷ୍ଟେସନ୍ ବୁଲିବାକୁ ଚାଲି ଯାଉଛନ୍ତି ତ ଆଉ କିଏ ମଉଜ ମଜଲିସ୍ କରି ସମୟ ଅତିବାହିତ କରୁଛନ୍ତି । କିନ୍ତୁ ଏତଦବାଦ୍ ମଧ୍ୟ ମାନସିକ ଶାନ୍ତି ପ୍ରାପ୍ତ ହୋଇପାରୁନି । ଆଉ ଏହାରି ଭିତରେ ସୋସିଆଲ୍ ମିଡିଆରେ ଜଣେ ସନ୍ଥଙ୍କ ବାଣୀ ଏଭଳି ଲୋକଙ୍କ ପଥ ପ୍ରଦର୍ଶନ କରୁଛନ୍ତି । ନାଁ ତାଙ୍କର ପ୍ରେମାନନ୍ଦ ମହାରାଜ । ହଳଦିଆ ବସ୍ତ୍ର,ମୁଣ୍ଡରେ ହଳଦୀ ଏବଂ ଚନ୍ଦନ ଲେପ , ଜଟା , ଲମ୍ବାଦାଢ଼ୀ ଏବଂ ମୁଖରେ ରାଧାନାମ ଜପ । ବୃନ୍ଦାବନରେ ବସି ପ୍ରେମାନନ୍ଦ ମହାରାଜ ଯେତେବେଳେ ସାଧୁବାଣୀ ଦେଇଥା’ନ୍ତି ଅନେକ ଶ୍ରଦ୍ଧାଳୁ ତାଙ୍କ ପ୍ରବଚନ ଶୁଣିବାକୁ ଆସିଥା’ନ୍ତି । ତେବେ ସନ୍ଥଙ୍କ ବାଣୀ କେବଳ ପ୍ରତ୍ୟକ୍ଷରେ ନୁହେଁ ପରୋକ୍ଷରେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି । ଯେଉଁ ଭକ୍ତମାନେ ବୃନ୍ଦାବନ ଯାଇପାରୁନାହାନ୍ତି ସେମାନେ ଘରେ ବସି ପ୍ରେମାନନ୍ଦ ମହାରାଜଙ୍କ ପ୍ରବଚନକୁ ମୋବାଇଲରେ ଶୁଣିବାର ସୌଭାଗ୍ୟ ପ୍ରାପ୍ତ କରୁଛନ୍ତି । ସାଧୁଙ୍କ ବାଣୀ ଏତେ ମନ୍ତ୍ରମୁଗ୍ଧ ଯେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରିକେଟର୍ , ରେସଲର୍ ପର୍ଯ୍ୟନ୍ତ ସବୁ ଆଧ୍ୟାତ୍ମିକ ମାର୍ଗର ପଥିକ ହୋଇସାରିଲେଣି । କ୍ରିକେଟର୍ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ଅନୁଷ୍କା ଶର୍ମା, ଶିଳ୍ପା ସେଟ୍ଟୀ, ରାଜ୍ କୁନ୍ଦ୍ରା, ଗୁରମିତ୍ , ଦେବିନା ପର୍ଯ୍ୟନ୍ତ ସମସ୍ତେ ପ୍ରେମାନନ୍ଦ ମହାରାଜଙ୍କ ସାନ୍ନିଧ୍ୟରେ ଆଧ୍ୟାତ୍ମିକ ମାର୍ଗକୁ ଅଗ୍ରସର ହେଉଛନ୍ତି । 

Advertisment
premanand-maharaj
premanand-maharaj Photograph: (google)

ତେବେ ଅନେକ ଲୋକ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ମନ କଥା କହିବାକୁ ଚାହାନ୍ତି । କିନ୍ତୁ ସନ୍ଥଙ୍କୁ ଭେଟିବା ସେତେଟା ସହଜ ନୁହେଁ । ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପାଇଁ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । କାରଣ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଗୋଟିଏ ଦିନରେ ୫୦ ରୁ ୬୦ ଜଣ ଲୋକଙ୍କୁ ହିଁ ଭେଟନ୍ତି । ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ୍ କୁନ୍ଦ୍ରା ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଯାଇଥିଲେ ଯେଉଁଠାରେ ସେ ସନ୍ଥଙ୍କୁ କିଡନି ଦେବାକୁ ମଧ୍ୟ କହିଥିଲେ । ଏକ ଇଣ୍ଟରଭ୍ୟୁରେ ରାଜ୍ ଗଣମାଧ୍ୟମକୁ ସନ୍ଥଙ୍କ ସହ ସାକ୍ଷାତକାରକୁ ନେଇ କହିଥିଲେ ଯେ ବାବାଙ୍କୁ ଭେଟିବାର ୱେଟିଙ୍ଗ୍ ଲିଷ୍ଟ୍ ବର୍ଷେ ପର୍ଯ୍ୟନ୍ତ ଥାଏ । ଅନେକ ଲୋକ ସନ୍ଥଙ୍କ ପାଖକୁ ନିଜ ଦୁଃଖ ଜଣାଇବା ପାଇଁ ଯାଆନ୍ତି କିନ୍ତୁ ୨୦ ବର୍ଷ ଧରି ସନ୍ଥଙ୍କ ୨ ଟି ଯାକ କିଡନି ଖରାପ ହୋଇଯାଇଛି ଏବଂ ସେ ୫ ଘଣ୍ଟା ଡାଇଲିସିସ୍ କରାନ୍ତି । ଏତେ ଯନ୍ତ୍ରଣା ପରେ ବି ସେ ପ୍ରତିଦିନ ହସ ହସ ମୁହଁରେ ଭକ୍ତମାନଙ୍କୁ ଭେଟନ୍ତି । ଏହାଠୁ ବଡ଼ ସନ୍ଦେଶ ସମାଜକୁ ଆଉ କ’ଣ ଦିଆଯାଇପାରିବ । 

ତେବେ ପ୍ରେମାନନ୍ଦ ମହାରାଜ ବାଲ୍ୟକାଳରୁ ହିଁ ଆଧ୍ୟାତ୍ମ ଆଡ଼କୁ ଅଗ୍ରସର ହୋଇଥିଲେ । ୧୯୬୯ ରେ କାନପୁରର ଅଖାରୀ ଗାଁରେ ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ସନ୍ଥଙ୍କ ପ୍ରକୃତ ନାଁ ଅନିରୁଦ୍ଧ କୁମାର ପାଣ୍ଡେୟ । ମା’ ରମା ଦେବୀ ଏବଂ ବାପା ଶମ୍ଭୁ ପାଣ୍ଡେୟ । ୧୩ ବର୍ଷ ବୟସରୁ ହିଁ ସେ ଘର ଛାଡ଼ି ସନ୍ନ୍ୟାସ ନେଇ ଯାଇଥିଲେ । ଗୁରୁ ଶ୍ରୀ ଗୌରାଙ୍ଗୀ ଶରଣଙ୍କ ଆଶିର୍ବାଦରୁ ସେ ସନ୍ଥ ପ୍ରେମାନନ୍ଦ ମହାରାଜ ପାଲଟିଥିଲେ ।