କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିବେଶ କର୍ମୀ ତଥା ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକ୍ଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି । ନ୍ୟାୟିକ ହେପାଜତରେ ଥିବା ସମୟରେ ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଶନିବାର ସକାଳ ପ୍ରାୟ ୬ଟା ୩୦ ମିନିଟରେ ୱାଙ୍ଗଚୁକ୍ଙ୍କୁ ପୁଲିସ ଯୋଧପୁର ସେଣ୍ଟ୍ରାଲ ଜେଲରୁ ଏମ୍ସର ଜରୁରୀକାଳୀନ ୱାର୍ଡ଼ରେ ଭର୍ତ୍ତି କରିଥିଲା । ତାଙ୍କୁ ପ୍ରାୟ ଦେଢ଼ ଘଣ୍ଟାଧରି ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିଷ୍ଟ ମାନେ ନିରୀକ୍ଷଣରେ ରଖିଥିଲେ । ଏମ୍ସ ସୂଚନା ଅନୁଯାୟୀ ସୋନମ୍ଙ୍କର ପାକସ୍ଥଳୀ ଜନିତ ସମସ୍ୟା ରହିଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେଉଥିବା ମଧ୍ୟ ସେ ଅଭିଯୋଗ କରୁଛନ୍ତି । ଦିନକ ପୂର୍ବରୁ ତାଙ୍କୁ ଏମ୍ସକୁ ପରୀକ୍ଷଣ ପାଇଁ ନିଆଯାଇଥିଲା । ପରେ କଡ଼ା ସୁରକ୍ଷା ମଧ୍ୟରେ ପୁଣି ଥରେ ଯୋଧପୁର ସେଣ୍ଟ୍ରାଲ ଜେଲ୍କୁ ପଠାଇ ଦିଆଯାଇଥିଲା ।
ସୋନମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କ ପତ୍ନୀ ଚିନ୍ତା ପ୍ରକଟ କରିବା ସହିତ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଜଷ୍ଟିସ ଅରବିନ୍ଦ କୁମାର ଓ ପିଭି ବରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରି ସରକାରୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା କରିଥିଲେ । ୱାଙ୍ଗଚୁକ୍ଙ୍କ ପକ୍ଷ ରଖି ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ, ୱାଙ୍ଗଚୁକ୍ଙ୍କୁ ଜେଲରେ ଦିଆଯାଉଥିବା ପାଣି ଯୋଗୁ ତାଙ୍କଠାରେ ପାକସ୍ଥଳୀ ସମସ୍ୟା ଦେଖାଯାଉଛି ।
ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ତାଙ୍କର ଚିକିତ୍ସା କରାଯାଉନାହିଁ । ବରିଷ୍ଠ ଓକିଲ ସିବଲ ଆହୁରି କହିଥିଲେ ଯେ, ସୋନମ୍ଙ୍କର ସାପ୍ତାହିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ଏବଂ ତାଙ୍କ ପରିବାର ପକ୍ଷରୁ ଦିଆଯାଉଥିବା ପାନୀୟ ଜଳ ତାଙ୍କୁ ପିଇବାକୁ ଦେବାକୁ ଅନୁମତି ଦିଆଯାଉ । ସୁପ୍ରିମକୋର୍ଟ ୱାଙ୍ଗଚୁକ୍ଙ୍କ ମେଡିକାଲ ରିପୋର୍ଟ ଫେବୃଆରି ୨ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍ ନଟରାଜ କୋର୍ଟରେ ପକ୍ଷ ରଖି କହିଥିଲେ ଯେ, ୱାଙ୍ଗଚୁକ୍ଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ଗତ ୪ ମାସରେ ତାଙ୍କର ୨୧ ଥର ସ୍ବାସ୍ଥ୍ୟ ପରୀକ୍ଷା ହୋଇସାରିଛି। ଲଦାଖକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ଗତବର୍ଷ ସେପ୍ଟେମ୍ବରରେ ଲେହରେ ହିଂସା ଦେଖାଯାଇଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ୱାଙ୍ଗଚୁକ୍ଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/wang-chung-2026-01-31-13-26-58.jpg)