କନକ ବ୍ୟୁରୋ: ଆଜି ଲୋକସଭାରେ ଆଗତ ହେଲା ୱାକଫ୍ ସଂଶୋଧିତ ବିଲ । ସମସ୍ତ ସାଂସଦଙ୍କୁ ଗୃହରେ ରହିବାକୁ ହ୍ବିପ ଜାରି କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ୱାକଫ ବିଲକୁ ନେଇ ୮ ଘଣ୍ଟା ଧରି ଚର୍ଚ୍ଚା କରାଯିବ । ୱାକଫ ସଂଶୋଧିତ ବିଲରେ କିଛି ଗୁରୁତ୍ବପୂର୍ଣ୍ଣ ସଂଶୋଧନ କରାଯାଇଛି । ଯୁଗ୍ମ ସଂସଦୀୟ କମିଟି, ଜେପିସିର ସୁପାରିଶ ଆଧାରରେ ଏହି ସଂଶୋଧନ କରାଯାଇଛି । ଏନଡିଏର ପ୍ରମୁଖ ସହଯୋଗୀ ସଂଯୁକ୍ତ ଜନତା ଦଳ ଓ ତେଲୁଗୁ ଦେଶମ ପାର୍ଟି ତରଫରୁ ଦିଆଯାଇଥିବା ସଂଶୋଧନକୁ ଗ୍ରହଣ କରାଯାଇଛି । ଆଜି ଏହି ବିଲକୁ ଲୋକସଭାରେ ଉପସ୍ଥାପନ କରାଯିବ। ବିଜନେସ ଆଡଭାଇଜରି କମିଟି ଏହା ଉପରେ ମୋହର ମାରିସାରିଛି । ବିଲ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଜେଡିୟୁ ଓ ତେଲୁଗୁ ଦେଶମ । ତେବେ ଇଣ୍ଡିମେଂଟ ବିତର୍କରେ ଭାଗ ନେଲେ ବି ବିଲ ସପକ୍ଷରେ ଭୋଟ ଦେବନି ବୋଲି କୁହାଯାଉଛି ।
କ’ଣ ୱାକଫ୍ ବିଲ୍
ଓ୍ୱାକଫ୍ ଏକ ଇସଲାମିକ ପରମ୍ପରା, ଯେଉଁଠି ଜଣେ ବ୍ୟକ୍ତି ନିଜ ସମ୍ପତ୍ତିକୁ ଧାର୍ମିକ କିମ୍ବା ସାମାଜିକ କାମ ପାଇଁ ଦାନ କରିଥାଏ
ଏହି ସମ୍ପତ୍ତି ଓ୍ୱାକଫ୍ ବୋର୍ଡ ଅଧୀନରେ ରହି କଲ୍ୟାଣ ପାଇଁ ବ୍ୟବହାର ହୋଇଥାଏ
ଏହା ଜମି, ଘର, ମସଜିଦ, କବରସ୍ଥାନ କିମ୍ବା ସ୍କୁଲ ଭଳି ହୋଇପାରେ
ଭାରତରେ ଓ୍ୱାକଫ୍ ବୋର୍ଡ ପ୍ରତ୍ୟେକ ରାଜ୍ୟରେ ରହି ଏହି ସମ୍ପତ୍ତିଗୁଡ଼ିକୁ ପରିଚାଳନା କରିଥାଏ
ୱାକଫ୍ ପାଖରେ ୯.୪ ଲକ୍ଷ ଏକର ଜମି ଓ ୮.୭ ଲକ୍ଷ ସମ୍ପତ୍ତି ରହିଛି, ମୋଟ ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଇଛି
ଏତେ ସମ୍ପତ୍ତି ଥାଇ ମଧ୍ୟ ଖରାପ ପରିଚାଳନା ଓ ମକଦ୍ଦମା କାରଣରୁ ଅନେକ ଜମି ବିବାଦରେ ପଡ଼ିଛି
ସରକାର ଓ୍ୱାକଫ୍ ଆଇନ ୧୯୯୫ରେ ସଂଶୋଧନ କରି ଏହାକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବାକୁ ଚାହୁଛନ୍ତି
ଏବେ ବୋର୍ଡର ସଦସ୍ୟ ନିର୍ବାଚନ ଦ୍ବାରା ଆସୁଥିବା ବେଳେ ନୂଆ ବିଲରେ ସରକାର ସେମାନଙ୍କୁ ମନୋନୀତ କରିବେ
ସମ୍ପତ୍ତିଗୁଡ଼ିକୁ ଜିଲ୍ଲା କଲେକ୍ଟରଙ୍କ ପାଖରେ ପଞ୍ଜୀକରଣ କରାଇ ସଠିକ୍ ମୂଲ୍ୟାଙ୍କନ କରାଯିବ
ବିଲ୍ରେ କିଛି ବଡ଼ ପରିବର୍ତ୍ତନ ପ୍ରସ୍ତାବିତ ହୋଇଛି । ସମ୍ପତ୍ତି ପଞ୍ଜୀକରଣ ବାଧ୍ୟତାମୂଳକ ହେବ ବୋର୍ଡରେ ଦୁଇଜଣ ଅଣ-ମୁସଲିମ ସଦସ୍ୟ ରହିବା ଜରୁରୀ, ମହିଳାଙ୍କୁ ବୋର୍ଡରେ ସ୍ଥାନ ଦେବାକୁ ବ୍ୟବସ୍ଥା
କିନ୍ତୁ ଏହାକୁ ମୁସଲିମ୍ ପକ୍ଷ ଓ ବିରୋଧୀ ଦଳ ବିରୋଧ କରୁଛନ୍ତି
ବିରୋଧୀ କହୁଛନ୍ତି, ଏହା ସରକାରୀ ହସ୍ତକ୍ଷେପ ବଢ଼ାଇବ ଓ ଧାର୍ମିକ ସ୍ୱାଧୀନତା ଉପରେ ଆଘାତ ଦେବ, ଏହା ଓ୍ୱାକଫ୍ ବୋର୍ଡରେ ଗଣତାନ୍ତ୍ରିକ ମୂଲ୍ୟକୁ ଦୁର୍ବଳ କରିବ ବୋଲି ମତ ରହିଛି
୯,୯୪୨ଟି ମୁସଲିମ ସମୁଦାୟ ଓ୍ବାକଫ୍ ସଂସ୍ଥା ବିରୋଧରେ ଅଭିଯୋଗ ଦାୟର କରିଛନ୍ତି