କନକ ବ୍ୟୁରୋ : ପିଇବା ପାଣି ଟୋପେ ପାଇଁ ହୀନସ୍ତା ଭୋଗୁଛନ୍ତି ଲୋକେ । ଡହଡହ ଖରାରେ ପାଣି ପାଇଁ ୨କି.ମି ଯିବା ଆସିବା କରିବାକୁ ପଡ଼ୁଛି । ବର୍ଷା ଦିନେ ସ୍ଥିତି ଆହୁରି ଖରାପ,କାଦୁଅ ପଚପଚ ରାସ୍ତାରେ ଯାଉଛନ୍ତି ଗାଁ ମହିଳା । ଏମିତି ୧୫ ବର୍ଷ ବିତିଗଲାଣି। ଗାଁରେ ନଳକୂପ ଟିଏ କରିବାକୁ ଅନେକ ଥର ଅଭିଯୋଗ ହୋଇଛି। ହେଲେ ଫଳ ଶୂନ ।  ଆମେ କୌଣସି ଉପାନ୍ତ ନୁହେଁ ଉପକୂଳ କେନ୍ଦ୍ରାପଡା ରାଜନଗର ବ୍ଲକ କଥା କହୁଛୁ । 

Advertisment

ପାଳି ପଡ଼ିଲେ ପାଣି ମିଳୁଛି । ଗରା, ବାଲଟି ଧରି ମାଇଲ ମାଇଲ ବାଟ ଚାଲିବାକୁ ପଡ଼ୁଛି । ପାଣି ମୁନ୍ଦାଏ ପାଇଁ ମହିଳାଙ୍କୁ ଏଠି ନିଇତି କଷ୍ଟ କରିବାକୁ ପଡ଼ୁଛି । ଆଉ ନଳକୂପ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡ଼ୁଛି । ଏ ସମସ୍ୟା ଦିନେ କି ମାସକର ନୁହେଁ ଦୀର୍ଘ ୧୫ ବର୍ଷର । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତଳଚୁଆ ପଞ୍ଚାୟତରେ ଥିବା ରାଜପାଟଣା ଗାଁ ଲୋକଙ୍କୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଛି । ଗାଁ ଠାରୁ ୧ କିଲୋମିଟିର ଦୂରରେ ଥିବା ଜ୍ୟୋତିପ୍ରସାଦ ଗାଁରେ ଥିବା ଗୋଟିଏ ନଳକୂପ ଉପରେ ପୁରା ରାଜପାଟଣା ନିର୍ଭରଶୀଳ।

ଜ୍ୟୋତିପ୍ରସାଦ ଗାଁର ୩ଶହ ଲୋକ ଓ ରାଜପାଟଣାର ୨ଶହ ଲୋକ ଏହି ଗୋଟିଏ ନଳକୂପ ଭରସାରେ। ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ମହିଳା । ୧୫ ବର୍ଷ ହେଲାଣି ଗାଁରେ ନଳକୂପଟିଏ କରିବା ପାଇଁ ରାଜପାଟଣାବାସୀ ନେହୁରା ହୋଇ ଥକି ଗଲେଣି। ହେଲେ ଗାଁ ଲୋକଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି ପ୍ରଶାସନ। ଅଗ୍ରାଧିକାର ଭିତ୍ତିରେ ନଳକୂପ ବସାଯିବ ବୋଲି କହିଛନ୍ତି ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ସ୍ବାଧିନତାର ୭୬ ବର୍ଷ ପରେ ବି ସର୍ବନିମ୍ନ ମୌଳିକ ସୁବିଧା ପିଇବା ପାଣି ପାଇଁ ଲୋକ ହନ୍ତସନ୍ତ ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ।