କନକ ବ୍ୟୁରୋ: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଆଦିବାସୀ ସାହି ଆଳିଜଙ୍ଗା। ଗାଁରେ ବିକାଶ ତ’ ଛାଡ଼ ମୌଳିକ ସୁବିଧା ପାଇଁ ଚାଲିଛି ପ୍ରତିଦିନ ସଂଘର୍ଷ । ପାଣି ପାଇଁ ଅନ୍ୟ ଗାଁକୁ ଚାଲ, ନହେଲେ ପୋଖରୀ ପାଣି ପିଅ। କାରଣ ଗାଁରେ ଥିବା ଏକମାତ୍ର ନଳକୂପରୁ ବାହାରୁଛି ଦୂଷିତ ପାଣି। ପକ୍କା ଘର ଖଣ୍ଡିଏ ବି ନାହିଁ । କିଏ ଘର ଉପରେ ଜରିପାଲ ପକେଇଛି ତ’ ଆଉ କାହା ଘର ଉପରେ ଘାସ ଉଠିଗଲାଣି। ଆବାସ ଯୋଜନା ସାତ ସପନ । ଏ ଅବସ୍ଥା ପାଇଁ ଦିବଙ୍ଗତ ବିଧାୟକ କଳ୍ପତରୁ ଦାସ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଦୋଷ ଦେଇଛନ୍ତି ଗ୍ରାମବାସୀ ।

Advertisment

୫୭ ବର୍ଷ ତଳେ କିଛି ଶ୍ରମିକ ଶ୍ରେଣୀର ଲୋକ କାମଧନ୍ଦା ଅନ୍ୱେଷଣରେ ଆସି ଆଳିଜଙ୍ଗାରେ ରହୁଛନ୍ତି । ସମୟକ୍ରମେ ଏମାନଙ୍କ ସଂଖ୍ୟା ବଢ଼ିଛି। ଗାଁରେ ରହୁଥିବା ୬୦ଟି ପରିବାରକୁ ଭୋଟର ତାଲିକାରେ ବି ସାମିଲ କରାଯାଇଛି । ହେଲେ ଆଜିଯାଏଁ ଏମାନଙ୍କୁ ଘର ପଟ୍ଟା ଖଣ୍ଡେ ମିଳିନି ।  ଖାଲି ସେତିକିରେ ଦୁଃଖ ସରୁନି, ଗାଁରୁ ବିଦ୍ୟୁତ୍‌ ସଂଯୋଗ ବି କଟିଯାଇଛି। ଅନ୍ଧାରରେ ଜୀବନ କାଟୁଛନ୍ତି ପରିବାର । ଏସବୁ ଦେଖି ପ୍ରଶ୍ନ ଉଠୁଛି, ଅବହେଳିତ ଆଦିବାସୀଙ୍କ ଦୁଃଖ କିଏ ବୁଝିବ? ସରକାର ଏଇ ନିରୀହ ଆଦିବାସୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ତତ୍ପରତା ଦେଖାଇବାର ରହିଛି ଆବଶ୍ୟକତା ।