ଜୋଗାଡ଼ କରିବ ଏମିତି , ଲୋକ ଚାହିଁବେ ଯେମିତି .. ଏ ଲେଖ ଲେଖିବାର କାରଣ ଆପଣଙ୍କୁ ନିମ୍ନରେ ଜଣାପଡ଼ିବ ଆଜ୍ଞା ।
ପ୍ରତିଦିନ ପ୍ରୟାଗରାଜର ପବିତ୍ର ଭୂମିରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି । ସଙ୍ଗମରେ ବୁଡ଼ ପକାଇବା ପାଇଁ ଏବଂ ମହାକୁମ୍ଭମେଳାର ସାକ୍ଷୀ ରହିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଶ୍ବରୁ କୋଣ ଅନୁକୋଣରୁ ବିମାନ , ଟ୍ରେନ୍ ଏବଂ ବସ୍ ରେ ଯାତ୍ରା କରି ଶ୍ରଦ୍ଧାଳୁ ମହାକୁମ୍ଭରେ ପହଂଚୁଛନ୍ତି । ତେବେ ଏହାରି ଭିତରେ ବୃନ୍ଦାବନରୁ ପ୍ରୟାଗରାଜ ଆସିଥିବା ଏକ ପରିବାର ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପରିବାରର ୧୦ ଜଣ ସଦସ୍ୟ ବାଇକରେ ବସି ସଙ୍ଗମ ନଗରୀ ଆସିଛନ୍ତି । ରୋଚକ କଥା ହେଉଛି ଏହି ପରିବାର ୫ କି ୭ କି.ମି ନୁହଁ ଆଜ୍ଞା ୭୦୦ କିଲୋମିଟରର ଯାତ୍ରା କରିଛନ୍ତି । ଆପଣ ଭାବୁଥିବେ ଏ କିପରି ଅସମ୍ଭବ କଥା କହୁଛନ୍ତି , କିନ୍ତୁ ଆମେ ଭାରତୀୟ ଆଜ୍ଞା ଜୋଗାଡ଼ ଆମ ରକ୍ତରେ ବହେ ।
ବୃନ୍ଦାବନର ଏହି ପରିବାର ମଧ୍ୟ ଜୋଗାଡ଼ର ସାହାଯ୍ୟ ନେଇ ଅସମ୍ଭବ ଲାଗୁଥିବା ଯାତ୍ରାକୁ ସଫଳ କରିଦେଖାଇଛନ୍ତି । ବାଇକ୍ ରେ ଟ୍ରଲିକୁ ଯୋଡ଼ି ପରିବାରର ୧୦ ଜଣ ସଦସ୍ୟ ବୃନ୍ଦାବନରୁ ପ୍ରୟାଗରାଜ ପହଁଞ୍ଚିଛନ୍ତି । ଏହାଦ୍ବାରା ମୋଟାଅଙ୍କର ବାଟଖର୍ଚ୍ଚ ତ ବଞ୍ଚିଗଲା କିନ୍ତୁ ପରିବାର ସହ ଏକ ହୋଇ ଯିବାର ଆନନ୍ଦ ବି ଆସିଗଲା । ମହାକୁମ୍ଭରେ ପହଁଞ୍ଚିବା ପରେ ପରିବାରର ସମସ୍ତେ ସଙ୍ଗମ ସ୍ନାନ କଲେ , ମହାକୁମ୍ଭମେଳା ବୁଲିଦେଖିଲେ , ସାଧୁସନ୍ଥଙ୍କ ଆଶିର୍ବାଦ ନେଲେ ଏବଂ ସେହି ବାଇକ୍ ଟ୍ରଲିରେ ବସି ବୃନ୍ଦାବନ ବାହୁଡ଼ିଲେ । ମହାକୁମ୍ଭକୁ ଆସିଥିବା ଶ୍ରଦ୍ଧାଳୁ ଏହି ପରିବାରର ଜୋଗାଡ଼ ଯାନ ଦେଖି ହକ୍କାବକ୍କା ହୋଇ ରହିଗଲେ ।