କନକ ବ୍ୟୁରୋ : କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି। କମଳା ହାରିସ୍ ନା ଡୋନାଲ୍ଡ ଟ୍ରମ୍ପ । ଫଇସଲା କରିବ ଜନତାଙ୍କ ଭୋଟ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ପଦ ପାଇଁ ଭୋଟ ଦେଉଛନ୍ତି ୟୁଏସଏ । ପ୍ରାୟ ସବୁ ସର୍ଭେରେ ଏହି ଦୁଇ ନେତା ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି ‘ସ୍ବିଙ୍ଗ୍ ଷ୍ଟେଟ୍’ ଉଭୟ ଦଳ ପ୍ରତି ପ୍ରାୟ ସମାନ ସମର୍ଥନ ଥିବା ରାଜ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।
ପ୍ରଚାରର ଅନ୍ତିମ ଦିନରେ ଟ୍ରମ୍ପ ଓ ହାରିସ ସେମାନଙ୍କ ଉଦଯାପନୀ ଭାଷଣ ଦେଇଥିଲେ। କ୍ଷମତାକୁ ଫେରିବାକୁ ଚାହୁଁଥିବା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଉତ୍ତର କାରୋଲିନା, ପେନସିଲଭାନିଆ ଓ ମିଚିଗାନରେ ରାଲି କରିଥିବା ବେଳେ ହାରିସ ପେନ୍ସିଲଭାନିଆର ଫିଲାଡେଲଫିଆ ଓ ପିଟସବର୍ଗରେ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶେଷ ରାଲିରେ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସ୍ ନୁହଁନ୍ତି ବରଂ ଏକ ଖଳ ପ୍ରକୃତିର ‘ଡେମୋକ୍ରାଟ୍’ ବ୍ୟବସ୍ଥା । ତେବେ ହାରିସ ଟ୍ରମ୍ପଙ୍କ ବିଷୟରେ ଉଲ୍ଲେଖ କରିନଥିଲେ ମଧ୍ୟ ଭୟ ଓ ବିଭାଜନ ଦ୍ୱାରା ପରିଚାଳିତ ଏକ ଦଶନ୍ଧିର ରାଜନୀତିର ପୂର୍ଣ୍ଣଛେଦ ପକାଇବାକୁ ଭୋଟରମାନଙ୍କୁ ଆହ୍ବାନ ଦେଇଥିଲେ। ଯେହେତୁ ଚୂଡାନ୍ତ ଫଳ ପ୍ରକାଶ ପାଇବାରେ ଦୀର୍ଘ ସମୟ ଲାଗିବ, ତେଣୁ ଏବେଠାରୁ କିଛି ଆକଳନ କରିବା ସମ୍ଭବ ନୁହେଁ।