କନକ ବ୍ୟୁରୋ : ଉପରାଷ୍ଟ୍ରପତି ପଦବୀ ପାଇଁ ସଂସଦରେ ଚାଲିଛି ଭୋଟିଂ । ସକାଳ ୧୦ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ପହଞ୍ଚି ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ବିଭିନ୍ନ ଦଳର ସାଂସଦମାନେ ପହଞ୍ଚି ନିଜ ମତ ସାବ୍ୟସ୍ତ କରୁଛନ୍ତି । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ । ସନ୍ଧ୍ୟା ୬ଟାରେ ହେବ ଭୋଟ୍ ଗଣତି । ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ତାମିଲନାଡ଼ୁର ରାଧାକ୍ରିଷ୍ଣନ ଜଣେ ପୋଖତ୍ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ, ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି । 

Advertisment

ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦ ହିଁ ଭୋଟ ଦେଇପାରିବେ । ଉପରାଷ୍ଟ୍ରପତି ନିର୍ବାଚନରେ ୭୮୧ ସାଂସଦ ଭୋଟ ଦେବେ । ବିଜେଡ଼ି ଓ ବିଆରଏସ୍‌ର ସାଂସଦ ଭୋଟ ଦେଉନଥିବାରୁ ବିଜୟ ପାଇଁ ୩୮୬ ଜଣଙ୍କ ଭୋଟ ଆବଶ୍ୟକ । ଏଭଳି କ୍ଷେତ୍ରରେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ବୋଲି କୁହାଯାଉଛି । ତଥାପି  ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରୁନଥିବାରୁ କ୍ରସ୍ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସେପଟେ  ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ । ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିରତି ରହିବ । ଭୋଟ୍ ସମୟରେ ଅନୁପସ୍ଥିତ ରହିବେ ବିଜେଡି ସାଂସଦ । ଏନ୍‌ଡିଏ ଓ ଇଣ୍ଡିଆ ବ୍ଲକ ଠାରୁ ସମଦୂରତା ରଖୁଛୁ ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର । ସେହିପରି ବିଆରଏସ୍ ଓ ସିରୋମଣି ଅକାଳୀ ଦଳ ମଧ୍ୟ ମତଦାନରୁ ନିବୃତ ରହିବେ ବୋଲି ଘୋଷଣା କରିଛନ୍ତି । ମୋଟ ୧୨ ସାଂସଦ ମତ ସାବ୍ୟସ୍ତ କରିବେ ନାହିଁ ।