କନକ ବ୍ୟୁରୋ : ଦିଲ୍ଲୀରେ ଆରମ୍ଭ ହୋଇଛି ଭୋଟିଂ । କିଏ ଦଖଲ କରିବ ଦିଲ୍ଲୀ ସିଂହାସନ? ଆଜି ନିର୍ଦ୍ଧାରଣ ହେବ ଭାଗ୍ୟ। ଦିଲ୍ଲୀର ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି। ସ୍ବଛ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି। କିପରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ। ଉତ୍ସାହର ସହ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଫେବୃଆରୀ ୫କୁ ସାର୍ବଜନୀନ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମୋଟ ୭୦ ଆସନରେ ୬୯୯ ପ୍ରତିଦ୍ୱନ୍ଦୀ ଅଛନ୍ତି । ଆସନ୍ତା ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ।  ଆଜିର ଭୋଟ  ଆପ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ଆଗାମୀ ୫ ବର୍ଷ ପାଇଁ  ବିଜେପି ଓ କଂଗ୍ରସର ଭାଗ୍ୟ ନିର୍ଧାରଣ କରିବ । ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ବିଜୟ ଆଶାରେ ଅଛି ଆପ୍। ତେଣୁ ପୁଣି ଥରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଗଡ଼ ବଜାୟ ରଖିବାରେ ସଫଳ ହେବ ନା ବିଜେପି କିମ୍ବା କଂଗ୍ରେସ କିଛି ବଡ଼ ଓଲଟପାଲଟ କରିଦେବେ, ଆଜିର ଭୋଟ୍ ସାବ୍ୟସ୍ତ କରିବ।