କନକ ବ୍ୟୁରୋ: ଭୋଟ୍ ଦେଇଛି ଅଷ୍ଟ୍ରେଲିଆ । ୨୦୨୫ ସାଧାରଣ ନିର୍ବାଚନରେ ମୁହାଁମୁହିଁ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଜଙ୍କ ନେତୃତ୍ବାଧୀନ ଲେବର ପାର୍ଟି ସହ ପିଟର ଡଟନଙ୍କ ଲିବରାଲ୍-ନ୍ୟାସନାଲ ପାର୍ଟି । ଡଟନ ବର୍ତ୍ତମାନ ବିରୋଧୀ ଦଳର ନେତା ଅଛନ୍ତି ଏବଂ ଶାସନକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନରେ ସ୍ବାସ୍ଥ୍ୟ ସେବା ଏବଂ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ପ୍ରସଙ୍ଗ ରହିଛି ।
ଅଷ୍ଟ୍ରେଲିଆରେ ଶେଷ ହୋଇଛି ମତଦାନ । ନୂଆ ସରକାର ବାଛିଛନ୍ତି ଅଷ୍ଟ୍ରେଲିଆବାସୀ । କଡା ସୁରକ୍ଷା ମଧ୍ୟରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଅଷ୍ଟ୍ରେଲିଆବାସୀ । ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଜଙ୍କ ଭାଗ୍ୟ ନିର୍ଧାରଣ କରିଛନ୍ତି ୧୮ ମିଲିୟନ ଭୋଟର । ୧୫୦ଟି ହାଉସ୍ ଅଫ୍ ରିପ୍ରେଜେନ୍ଟେଟିଭ୍ସ ଆସନ ଏବଂ ୭୬ଟି ସେନେଟ୍ ଆସନ ମଧ୍ୟରୁ ୪୦ଟି ପାଇଁ ମତଦାନ ଶେଷ ହୋଇଛି । ମତଦାନ ଶେଷ ହେବା ପରେ ଦିନ ୧.୩୦ରୁ ଆରମ୍ଭ ହୋଇଯାଇଛି ମତ ଗଣନା । ଏଥର ନିର୍ବାଚନରେ ପ୍ରମୁଖ ଭୂମିକା ନେବେ ଯୁବ ଭୋଟର । ଦ୍ବୀତିୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଲକ୍ଷରେ ଆନ୍ଥୋନୀ ଆଲବାନେଜ ।
ଅଷ୍ଟ୍ରେଲିଆନ ଲେବର ପାର୍ଟି ଓ ଲିବେରାଲ ନ୍ୟାସନାଲ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ଆନ୍ଥୋନୀ ଆଲବାନେଜଙ୍କୁ କଡା ଟକ୍କର ଦେଉଛନ୍ତି ପିଟର ଡଟନ । ଦରଦାମ ବୃଦ୍ଧି, ବର୍ଦ୍ଧିତ ସୁଧ ହାର, ଟାରିଫ ଯୁଦ୍ଧ, ସ୍ବାସ୍ଥ୍ୟ, ସାଧାରଣ ଜନତାଙ୍କ ପାଇଁ ବାସଗୃହ ଆଦି ଏଥର ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଅଷ୍ଟ୍ରେଲିଆରେ ଝୁଲା ସରକାର ନେଇ ରାଜନୈତିକ ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି । ଏଭଳି ସ୍ଥଳରେ କିଛି ସ୍ବାଧୀନ ପ୍ରାର୍ଥୀ ଓ ଲେଫ୍ଟ ୱିଙ୍ଗ ଗ୍ରୀନ ପାର୍ଟିର ପ୍ରାର୍ଥୀ କିଙ୍ଗ ମେକର ସାଜି ପାରନ୍ତି । କିଛି ପୋଲ ଏଜେନ୍ସି ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଜ ସପକ୍ଷରେ ଜନମତ ଯାଉଥିବା ମତ ଦେଉଥିବା ବେଳେ କିଛି ପୋଲ ଏଜେନ୍ସି ଦୁଇ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ନେଇ ଆକଳନ କରିଛନ୍ତି । ଅଷ୍ଟ୍ରେଲିଆ ଗଣତନ୍ତ୍ରରେ ମତାଧିକାର ସାବ୍ୟସ୍ତ କରିବା ଅନିବାର୍ଯ୍ୟ ଅଟେ ।