କନକ ବ୍ୟୁରୋ : ଆଜି ବିଶ୍ବର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଆମେରିକା ଦେଇଛି ଭୋଟ ,ଜନତା ବାଛୁଛନ୍ତି ନୂଆ ରାଷ୍ଟ୍ରପତି  । ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ପାଇବ ନୂଆ ବସ୍ । ନିର୍ବାଚନ ଉପରେ ସାରା ବିଶ୍ୱର ନଜର ।  କିଏ ବନିବ ସୁପର ପାୱାର ଦେଶର ସର୍ବୋଚ୍ଚ ନେତା ? ଡେମୋକ୍ରାଟିକ ପ୍ରାର୍ଥୀ ହାରିସ ଓ ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କ ମଧ୍ୟରେ କଡ୍ଡା ଟକ୍କର  ।  ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮ ।  ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ ।  ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍ । ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରାୟତଃ ତିନି ପ୍ରକାର ରାଜ୍ୟ ଦ୍ୱାରା ଆକାର ପାଇଥାଏ- ରେଡ୍ ଷ୍ଟେଟ୍ସ, ବ୍ଲୁ ଷ୍ଟେଟ୍ସ ଏବଂ ସ୍ୱିଙ୍ଗ ଷ୍ଟେଟ୍ସ  ।  ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ ।  ୧୯୮୦ ପରଠାରୁ ଲଗାତାର ଭାବେ ରିପବ୍ଲିକାନ୍ ପ୍ରାର୍ଥୀମାନେ ବିଜୟୀ ହେଉଥିବା ବେଳେ ବ୍ଲୁ ରାଜ୍ୟରେ ୧୯୯୨ ପରଠାରୁ ଡେମୋକ୍ରାଟ୍ ପ୍ରାର୍ଥୀ ମାନେ ଆଧିପତ୍ୟ ବଜାୟ ରଖିଛନ୍ତି । 

Advertisment

ନିର୍ଣ୍ଣାୟକ ଭୂମିକା ରଖିବ ସ୍ବିଙ୍ଗ ଷ୍ଟେଟ । ଏଠାରେ ରିପବ୍ଲିକାନ୍ ଓ ଡେମୋକ୍ରାଟଙ୍କ ମଧ୍ୟରେ କଡା ମୁକାବିଲା ହୋଇଥାଏ । ଉଦାହରଣ ସ୍ୱରୂପ, ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ଆରିଜୋନାରେ ମାତ୍ର ୧୦ହଜାର ଭୋଟରେ ବିଜୟୀ ହୋଇଥିଲେ । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆରିଜୋନା, ଜର୍ଜିଆ, ମିଚିଗାନ୍, ନେବାଦା, ନର୍ଥ କାରୋଲିନା, ପେନ୍ସିଲଭାନିଆ ଓ ବିସ୍କୋନ୍ସିନ୍ ରହିଛି  । 
 
ଇଣ୍ଡିଆନ ଆମେରିକାନ ଏଟିଚ୍ୟୁଡ ସର୍ଭେ ବା ଆଇଏଏଏସ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୫ ମଧ୍ୟରେ ଭାରତୀୟ ଆମେରିକୀୟ ନାଗରିକଙ୍କ ଉପରେ ଏକ ଜାତୀୟ ପ୍ରତିନିଧୀ ଅନଲାଇନ ସର୍ଭେ କରିଥିଲା ।  ସର୍ବେକ୍ଷଣ ଅନୁଯାୟୀ, ୬୭% ଭାରତୀୟ ଆମେରିକୀୟ ମହିଳା କମଲା ହାରିସଙ୍କୁ ଭୋଟ ଦେବାକୁ ଇଚ୍ଛା କରୁଥିବାବେଳେ ୫୩% ପୁରୁଷ ହାରିସଙ୍କୁ ଭୋଟ ଦେବାକୁ ଯୋଜନା କରୁଥିବା କହିଛନ୍ତି ।  ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ ଅଧିକାର ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ଉଭା ହେଉଛି ଯାହା ଭାରତୀୟ ଆମେରିକୀୟ ମହିଳାଙ୍କ ଭୋଟ ପସନ୍ଦ ଉପରେ ପ୍ରଭାବ ପକାଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ କରାଯାଇଥିବା ସର୍ଭେରେ ଉଭୟ ପ୍ରାର୍ଥୀ ପରସ୍ପରକୁ କଡା ପ୍ରତିଯୋଗିତା ଦେଉଥିବା ଜଣାପଡିଛି । ଗୋଟିଏ ପଟେ ଡେମୋକ୍ରାଟର କମଲା ହାରିସ ୱିସ୍କନ୍ସିନ, ମିଚିଗାନ ଏବଂ ପେନସିଲଭାନିଆ ଭଳି ରାଜ୍ୟରେ ଆଗୁଆ ଥିବା ବେଳେ ଅନ୍ୟ ପଟେ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ଜର୍ଜିଆ, ନେଭାଡା, ଆରିଜୋନା, ଉତ୍ତର କାରୋଲିନା ଏବଂ ନେବରାସ୍କାରେ ଆଗରେ ରହିଛନ୍ତି । ତେବେ ଦେଖିବାକୁ ରହିଲା ହ୍ବାଇଟ ହାଉସରେ କିଏ ବସୁଛି ଏବଂ ସୁପର ପାୱାର କଂଟ୍ରିର କିଏ ବନୁଛି ସୁପର ବସ୍ ।


ସେପଟେ ଆମେରିକାରେ ନିର୍ବାଚନରେ ଭାରତରେ ଚାଲିଛି ପୂଜାର୍ଚ୍ଚନା । ତାମିଲନାଡୁ ଯେଉଁଠି ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହ୍ୟାରିସଙ୍କ ଅଜାଙ୍କ ଘର ରହିଛି ସେଠାରେ ଚାଲିଛି ସ୍ବତନ୍ତ୍ର ପୂଜାପାଠ । କମଲା ହ୍ୟାରିସଙ୍କ ମା ଶ୍ୟାମଲା ଗୋପାଳନ ତାମିଲନାଡୂ ବାସିନ୍ଦା । ୧୯ବର୍ଷ ବୟସରେ ଆମେରିକା ଚାଲିଯାଇଥିଲେ । ପାଠପଡିବା ପରେ ସେଠାରେ ବିବାହ କରି ଆମେରିକା ନାଗରିକତା ଗ୍ରହଣ କରିବା ସହ ସ୍ଥାୟୀ ବାସିନ୍ଦା ହୋଇଥିଲେ । ତେବେ ମାଙ୍କ ସହ ଦୀର୍ଘବର୍ଷ ପୂର୍ବରୁ କମଲା ତାମିଲନାଡୁ ଆସିବା ସହ ପିଲାଦିନ ସ୍ମୃତି ଅନେକ ସଭାରେ ପ୍ରକାଶ କରିଥାନ୍ତି । ୨୦୦୯ ମସିହାରେ ମା ଶ୍ୟାମଲାଙ୍କ ମୃତ୍ୟ ପରେ ତାଙ୍କ ଅସ୍ତି ବିସର୍ଜନ ପାଇଁ ଶେଷଥର ପାଇଁ ଚେନ୍ନାଇ ଆସିଥିଲେ କମଲା ହ୍ୟାରିସ । ଏପରିକି ନିଜ ଲିଖିତ ପୁସ୍ତକ ଦ ଟ୍ରୁଥ ୱିଥ ହୋଲ୍ଡରେ ଭାରତୀୟ ସଂସ୍କୃତି, ପରମ୍ପରା ବାବଦରେ ଲେଖିବା ସହ ଭଲପାଇବା ପ୍ରକାଶ କରିଛନ୍ତି କମଲା ହ୍ୟାରିସ