କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ। ସବୁ ସମୟରେ ଭୋଟ ଦିଅନ୍ତି ଓଡିଶାରେ। ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ହିତାଧିକାରୀ ହୋଇଛନ୍ତି। ଭୋଟ ସରିଲେ ଗ୍ରାମବାସୀଙ୍କ ଠିକଣା ବଦଳିଯାଏ। ଓଡ଼ିଶାରେ ନେତା ବାଛୁଥିବା ଲୋକଙ୍କ ଠିକଣା ପଡ଼ିଶା ରାଜ୍ୟକୁ ଚାଲିଯାଏ। ତେଣୁ ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ମିଳେ ନାହିଁ। କି ଗ୍ରାମବାସୀଙ୍କ ଭାଗ୍ୟରେ ସରକାରୀ ଆବାସ ଜୁଟୁ ନାହିଁ। ଖାଲି ଏତିକି ନୁହେଁ, ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ମଧ୍ୟ ଧିରେଧିରେ କମିଯାଉଛି। ପଞ୍ଚମ ପରେ ପାଠ ପଢ଼ିବା ପାଇଁ ପଶ୍ଚିମବଙ୍ଗ ବିଦ୍ୟାଳୟକୁ ଯିବାକୁ ପଡୁଛି। ବାଲେଶ୍ୱର ଭୋଗରାଇରୁ ଦେଖିବା ସୀମାନ୍ତ ଗାଁର ଦୁଃଖ।

Advertisment

ବାଲେଶ୍ବର ଭୋଗରାଇ ବ୍ଲକ ଅନଳିଆ ପଂଚାୟତ ଅନ୍ତର୍ଗତ ଶଙ୍ଖାମେଦୀ ଗାଁ। ଗାଁରେ ପ୍ରାୟ ୧୫୦ ପରିବାରର ୪୫୦ରୁ ଅଧିକ ଲୋକ ବସବାସ କରନ୍ତି। ୩୦୦ ଓଡ଼ିଆ ଭୋଟର ରହିଛନ୍ତି। ସରକାରୀ ଯୋଜନାରେ ସ୍ବଚ୍ଛ ଭାରତ ମିଶନରେ ୯୦ଟି ପାଇଖାନା, ୨୮ ଜଣକୁ ବାର୍ଦ୍ଧକ୍ୟ ଭତ୍ତା, ୧୨୦ ପରିବାରକୁ ରାସନକାର୍ଡ, ସ୍କୁଲ, ଅଙ୍ଗନୱାଡି ସହିତ ପ୍ରତିଘରକୁ ରାଜୀବ ଜ୍ୟୋତି ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି। ମାତ୍ର ସେମାନେ ଆବାସ ଯୋଜନାରୁ ବଞ୍ଚିତ। କାରଣ ତାଙ୍କ ପାଇଁ କଣ୍ଟା ହୋଇଛି ଆନ୍ତଃରାଜ୍ୟ ସୀମା ବିବାଦ। ଓଡ଼ିଶା ଓ ପଶ୍ଚିମବଙ୍ଗ ବିବାଦ ଭିତରେ ଫସିଯାଇଛନ୍ତି ଶଙ୍ଖାମେଦୀ ଗ୍ରାମବାସୀ। 
 
 ଗ୍ରାମବାସୀ ଓଡ଼ିଶାରେ ରହିବାକୁ ଚାହୁଁଛନ୍ତି। ଓଡିଶା ସରକାର ପକ୍ଷରୁ ରାସନକାର୍ଡରେ ଚାଉଳ, ବିଦ୍ୟୁତ, ପାନୀୟ ଜଳ, ପାଇଖାନା, ରାସ୍ତା, ଅଙ୍ଗନବାଡି, ସ୍କୁଲ ଯୋଗାଇ ଦିଆଯାଇଛି। କିନ୍ତୁ ରାଜସ୍ୱ ବିଭାଗ ପକ୍ଷରୁ ଖଜଣା ନିଆଯାଉନାହିଁ। ତେଣୁ ସ୍ଥାୟୀ ବାସିନ୍ଦା ପ୍ରଣାମ ପତ୍ର ମିଳୁନାହୁଁ। ୧୯୮୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାର ଖଜଣା ନେଉଥିଲେ। ପରେ ସୀମା ବିବାଦ ଯୋଗୁଁ ପଶ୍ଚିମବଙ୍ଗ ସରକାର ନକ୍ସା ଜାରି କରି ଶଙ୍ଖାମେଦୀ ଗାଁ ବଙ୍ଗରେ ବୋଲି ଦାବି କରୁଛି। ତେଣୁ ୧୯୯୦ରୁ ଓଡ଼ିଶା ସରକାର ରାଜସ୍ୱ ନେଉନାହାନ୍ତି କି ସ୍ଥାୟୀବାସିନ୍ଦା ପ୍ରମାଣପତ୍ର ମିଳୁନାହିଁ । ଫଳରେ ଗ୍ରାମବାସୀ ପକ୍କାଘରଟିଏ ପାଉନାହାନ୍ତି କି ଗାଁର ଶିକ୍ଷିତ ଯୁବକ ଯୁବତୀଙ୍କୁ ଓଡ଼ିଶାରେ ସରକାରୀ ଚାକିରି ମିଳୁନାହିଁ। ତୁରନ୍ତ ଗାଁଟି କେଉଁ ରାଜ୍ୟର ବୋଲି ସ୍ପଷ୍ଟ କରିବାକୁ  ଦାବି ହୋଇଛି।  ସୀମା ବିବାଦ ଯୋଗୁଁ ସୀମାନ୍ତ ଗାଁରେ ଓଡ଼ିଆ ଶିକ୍ଷାରୁ ଛାତ୍ରଛାତ୍ରୀ ଦୂରେଇ ଯାଉଛନ୍ତି। ପଞ୍ଚମ ଯାଏଁ ଓଡ଼ିଆରେ ପାଠ ପଢ଼ିବା ପରେ ପଶ୍ଚିମବଙ୍ଗର ବେଙ୍ଗଲ ସ୍କୁଲରେ ଆଡ଼ମିଶନ ନେଉଛନ୍ତି। ତେଣୁ ଧିରେଧିରେ ସୀମାରେ ଓଡ଼ିଆ ଭାଷା ଓ ଶିକ୍ଷା ହ୍ରାସ ପାଉଛି।