କନକ ବ୍ୟୁରୋ : ବିହାର ଭୋଟର ସଂଶୋଧନ ସର୍ଭେକୁ ନେଇ ବିରୋଧୀ ମହାଗଠବନ୍ଧନର ଜୋରଦାର ବିରୋଧ ପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ରାଜ୍ୟରେ ଜାରି ରହିଥିବା ଭୋଟର ସଂଶୋଧନ ପ୍ରକ୍ରିୟା ଜାରି ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏଥିସହ ଆଧାର, ରାସନ୍ କାର୍ଡ ଏବଂ ଭୋଟର ପରିଚୟପତ୍ରକୁ ମତଦାତାଙ୍କ ପରିଚୟ ପୁନଃଯାଞ୍ଚ ପାଇଁ ବୈଧ ଦଲିଲ ଭାବେ ବିବେଚନା କରାଯିବା ଉଚିତ ବୋଲି କହିଛନ୍ତି କୋର୍ଟ ।
ନଭେମ୍ବରରେ ବିହାର ନିର୍ବାଚନ ହେବାର ଅଛି । ହାତରେ କମ ସମୟ ଥିବା ବେଳେ ନିର୍ବାଚନ ପୂର୍ବରୁ ସଂଶୋଧନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ ସୁଧାଂଶୁ ଧୁଳିଆ ଏବଂ ଜଷ୍ଟିସ୍ ଜୋମାଲାୟାବ ବାଗଚୀଙ୍କ ଗଠିତ ଖଣ୍ଡପୀଠ । ଏଥିସହ ଭୋଟର ପରିଚୟପତ୍ର ଯାଞ୍ଚ ପାଇଁ ଆବଶ୍ୟକ ୧୧ ବୈଧ ପ୍ରମାଣପତ୍ର ତାଲିକାକୁ ‘ଆଧାର’ ବାଦକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏଥିସହ ନିର୍ବାଚନ କମିସନଙ୍କୁ ତିନି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।
ନିର୍ବାଚନ କମିସନଙ୍କୁ ସୁପ୍ରିମ୍କୋର୍ଟଙ୍କ ତିନି ପ୍ରଶ୍ନ
- ଭୋଟର ସଂଶୋଧନର କ୍ଷମତା ଉପରେ ବିସ୍ତୃତ ବର୍ଣ୍ଣନା
- ସଂଶୋଧନ ପ୍ରକ୍ରିୟା ଓ ଅବଧି ଉପରେ ବିସ୍ତୃତ ସୂଚନା
- ନିର୍ବାଚନ ପୂର୍ବରୁ ସର୍ଭେର ଆବଶ୍ୟକତା ଉପରେ ସୂଚନା
- ଜୁଲାଇ ୨୮ ତାରିଖ ସୁଦ୍ଧା ଏହା ଉପରେ ଉତ୍ତର ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସେପଟେ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧ। ଆଧାର କାର୍ଡ, ରାସନ କାର୍ଡ, ଜବ କାର୍ଡ, ମନରେଗା କାର୍ଡକୁ ବୈଧ ପ୍ରମାଣପତ୍ର ତାଲିକାରୁ କାହିଁକି ବାଦ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ସଂଶୋଧନ ପ୍ରକ୍ରିୟାରେ ବେଆଇନ ବାଂଲାଦେଶୀ ଭୋଟର ତାଲିକାରୁ ବାଦ୍ ପଡ଼ିବା କାରଣକୁ ମିଛ ଅଭିଯୋଗ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଆଧାରକୁ ବାଦ ଦିଆଯିବାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାପ୍ରକଟ କରିବା ପରେ ଜବାବ ରଖିଛି ନିର୍ବାଚନ କମିସନ । ଆଧାର ବାସ୍ତବରେ ନାଗରିକ ପରିଚୟପତ୍ର ନୁହେଁ କାରଣ କେତେକ ବିଦେଶୀ ମଧ୍ୟ ଆଧାର କାର୍ଡ ବ୍ୟବହାର କରୁଛନ୍ତି । ଏହା କେବଳ ପରିଚୟପତ୍ର । ତେବେ ପରବର୍ତ୍ତୀ ଶୁଣାଣିରେ ଏହା ଉପରେ ସ୍ପଷ୍ଟତା ଆସିବ ବୋଲି କୁହାଯାଉଛି ।