Photograph: (KANAKNEWS)
କନକବ୍ୟୁରୋ : ନିର୍ବାଚନ କମିଶନଙ୍କ ବିରୋଧରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗ। ଆଜି ସଂସଦ ଭବନରୁ ନିର୍ବାଚନ କମିଶନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ ଇଣ୍ଡି ମେଣ୍ଟର ନେତା। ବିରୋଧୀ ଗୋଷ୍ଠୀର ପ୍ରାୟ ୩୦୦ ସାଂସଦ ଏହି ପଦଯାତ୍ରାରେ ସାମିଲ ହେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ସମେତ ୨୫ରୁ ଅଧିକ ଦଳର ନେତା ଏହି ପଦଯାତ୍ରାରେ ଅଂଶଗ୍ରହଣ କରିବେ। ପଦଯାତ୍ରା ପୂର୍ବାହ୍ନ ୧୧ଟା ୩୦ରେ ସଂସଦ ଭବନର ମକର ଦ୍ୱାରରୁ ଆରମ୍ଭ ହେବ ଏବଂ ପରିବହନ ଭବନ ଦେଇ ନିର୍ବାଚନ କମିଶନଙ୍କ ନିକଟକୁ ଯିବ । ରାହୁଲ ଗାନ୍ଧୀ 'ଭୋଟ ଚୋରି'ରେ ବିଜେପି ସହିତ ମିଶି ନିର୍ବାଚନ କମିଶନଙ୍କ ଉପରେ ଅଭିଯୋଗ କରି ଏକ ୱେବ ପୋର୍ଟାଲ ଆରମ୍ଭ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଭୋଟ ଚୋରି ଗଣତନ୍ତ୍ର ବିରୁଦ୍ଧରେ। ଗୋଟିଏ ବ୍ୟକ୍ତି, ଗୋଟିଏ ଭୋଟର ନୀତି ଉପରେ ଆକ୍ରମଣ ହେଉଛି । ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସ୍ୱଚ୍ଛ ଭୋଟର ତାଲିକା ଆବଶ୍ୟକ। ଡିଜିଟାଲ ଭୋଟର ତାଲିକାକୁ ସାର୍ବଜନୀନ କରାଯିବା ଉଚିତ ଏବଂ ସ୍ୱଚ୍ଛତା ଆଣିବା ଉଚିତ। ଯାହା ଦ୍ୱାରା ଜନସାଧାରଣ ଏବଂ ରାଜନୈତିକ ଦଳଗୁଡ଼ିକ ତଥ୍ୟର ଅଡିଟ୍ କରିପାରିବେ ବୋଲି ରାହୁଲ ଦାବି କରିଛନ୍ତି । ସେପଟେ ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଭିଯୋଗର ସମର୍ଥନରେ ଏକ ଶପଥପତ୍ର ଦେବାକୁ କିମ୍ବା ଦେଶ ନିକଟରେ କ୍ଷମା ମାଗିବାକୁ କହିଛନ୍ତି ନିର୍ଦ୍ଦେଶ ଦେଇଛନ୍ତି ।
କମିଶନ ଏଗୁଡ଼ିକୁ "ପୁରୁଣା ବୋତଲରେ ନୂତନ ମଦ" ବୋଲି ଅଭିହିତ କରି କହିଛନ୍ତି ଯେ ସମାନ ନାମ କିମ୍ବା ଠିକଣା ସହିତ ଅନେକ ଭୋଟର ଅଛନ୍ତି ବୋଲି କହିବା ଭୁଲ। ବିଜେପି ରାହୁଲଙ୍କ ଉପରେ ସାମ୍ବିଧାନିକ ପ୍ରତିଷ୍ଠାନକୁ ଧମକ ଦେବା ଏବଂ ମିଥ୍ୟା ତଥ୍ୟ ପ୍ରସାରଣ କରିବାର ମଧ୍ୟ ଅଭିଯୋଗ କରିଛି। ଏସବୁକୁ ପରାଜୟ ପୂର୍ବରୁ ଆତଙ୍କ ବୋଲି ଦର୍ଶାଇଛି ଦଳ।
Follow Us