କନକ ବ୍ୟୁରୋ: ଢେଙ୍କାନାଳର ୧୭ ବର୍ଷୀୟ ବିଭାସିନ୍ଧୁ ଆନ୍ତର୍ଜାତିକ ସ୍ତରରେ ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଲକ୍ଷ୍ନୌଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ କନିଷ୍ଠ ଓ ଯୁବ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । ଦୁଇ ମାସ ତଳେ ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ମାତ୍ର ୯ ବର୍ଷ ବୟସରେ ସେଲିବେରାଲ ପାଲସି ରୋଗରେ ଆକ୍ରାନ୍ତ ହୋଇ ଦୁଇ ଗୋଡ଼ର ଶକ୍ତି ହରାଇଥିଲେ । କିନ୍ତୁ ଦୃଢ଼ ଆତ୍ମବିଶ୍ବାସ, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ, ଏବେ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଆଣିଦେଇଛି । ଆଗକୁ ପାରା ଅଲିମ୍ପିକ୍ସ ଓ ଏସିଆନ୍ ଗେମ୍ସରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି ।
ଜାତୀୟ ପାରା ବ୍ୟାଡମିଣ୍ଟନରେ ଓଡ଼ିଶା ପାଇଁ ସଫଳତା ଆଣିଲେ ଢେଙ୍କାନାଳର ବିଭାସିନ୍ଧୁ ବାରିକ । ନିକଟରେ ଲକ୍ଷ୍ନୌଠାରେ ଆୟୋଜିତ ଦ୍ବିତୀୟ କନିଷ୍ଠ ଓ ଯୁବ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ତିନୋଟି ପଦକ ଜିତିଛନ୍ତି ବିଭାସିନ୍ଧୁ । ୧୯ ବର୍ଷରୁ କମ୍ ବିଭାଗର ଡବଲ୍ସରେ ସ୍ବର୍ଣ୍ଣ ଓ ସିଙ୍ଗଲରେ ରୌପ୍ୟ ଏବଂ ଯୁବ ବିଭାଗର ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରତିଯୋଗିତାରେ ଓଡ଼ିଶାରୁ ୯ଜଣ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଓଡ଼ିଶାକୁ ୯ଟି ପଦକ ହାସଲ ହୋଇଥିବା ବେଳେ ବିଭାସିନ୍ଧୁ ଏକାକୀ ତିନୋଟି ପଦକ ହାତେଛନ୍ତି । ପୂର୍ବରୁ ୨୦୨୪ରେ ଇଣ୍ଡୋନେସିଆ ଓ ଉଗାଣ୍ଡାରେ ପ୍ରତିନିଧିତ୍ବ କରିଥିଲେ । ୨୦୨୫ ଜୁଲାଇରେ ଉଗାଣ୍ଡାରେ ଅନ୍ତର୍ଜାତୀୟ ବ୍ରୋଞ୍ଜ ପଦକ ଜିତିଥିଲେ ବିଭାସିନ୍ଧୁ ।
ଢେଙ୍କାନାଳ ଜିଲ୍ଲା ରାମେଶ୍ୱରପୁର ୧୮ ନମ୍ବର ୱାର୍ଡ ବାସିନ୍ଦା ବେଣୁଧର ବାରିକଙ୍କ ପୁଅ ବିଭାସିନ୍ଧୁ ଯୁକ୍ତ ଦୁଇ ବାଣିଜ୍ୟର ଛାତ୍ର । ପିଲାଦିନରୁ ବ୍ୟାଡମିଣ୍ଟନ ଖେଳ ପ୍ରତି ଥିଲା ବେଶ୍ ଆଗ୍ରହ । ମାତ୍ର ୯ବର୍ଷ ବୟସରେ ସ୍ପଣ୍ଡିଲାଇଟିସ୍ ଯୋଗୁଁ ସେଲିବେରାଲ ପାଲସି ରୋଗରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କର ଦୁଇ ଗୋଡ଼ର ଲିଗାମେଣ୍ଟ ଦୁର୍ବଳ ହୋଇପଡିଲା । ଠିକରେ ଚଲାବୁଲା କରିପାରୁନଥିଲେ ବି ମନୋବଳ ଥିଲା ବେଶ୍ ଦୃଢ଼ । ୨୦୧୯ରୁ ଆରମ୍ଭ କଲେ ଅଭ୍ୟାସ । ଦିନକୁ ୮ରୁ ୧୦ ଘଣ୍ଟା ଅଭ୍ୟାସ କରୁଥିଲେ । ବାପାଙ୍କଠାରୁ ପ୍ରେରଣା ଓ ସହଯୋଗ ପାଇ ବିନା ପ୍ରଶିକ୍ଷକରେ ଢେଙ୍କାନାଳ ଇନ୍ଡୋର ଷ୍ଟାଡିୟମରେ ଥିବା ବ୍ୟାଡମିଣ୍ଟନ କୋର୍ଟରେ ଅଭ୍ୟାସ କରୁଥିଲେ । ୨୦୨୩ରେ ଲକ୍ଷ୍ନୌରେ ଆୟୋଜିତ ଏସିଆନ ଯୁବ କ୍ରୀଡ଼ାରେ ଜାତୀୟ ଦଳର ପ୍ରତିନିଧିତ୍ବ କରିଥିଲେ । ଅଗଷ୍ଟ ମାସରେ ପେରୁ ଠାରେ ଅନୁଷ୍ଠିତ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଭାଗ ନେଇଥିଲେ । କିନ୍ତୁ ବ୍ରାଜିଲ ଏୟାରପୋର୍ଟରେ କିଟ୍ ବ୍ୟାଗ୍ ହଜିଯିବାରୁ ନିରାଶ ହୋଇଥିଲେ ବିଭାସିନ୍ଧୁ । ଆଗକୁ ଏସିଆନ ୟୁଥ୍ ଗେମ୍ସ ଏବଂ ବିଶ୍ବ ପାରା ଅଲମ୍ପିକ୍ସରେ ପଦକ ଜିତିବା ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/23/25-2025-09-23-14-15-20.jpg)