କନକ ବ୍ୟୁରୋ:  ଗରୀବ ପାଇଁ ଏତେ ଦୁଃଖ ଚାଉଳ ଗଣ୍ଡେ ପାଇଁ ଏତେ କଷ୍ଟ! ରୋଗରେ ପଡି ଆଖି ଦିଟା ନଷ୍ଟ ହୋଇଗଲା। କାମ ଧନ୍ଦା କରିବା ଆଉ ସମ୍ଭବ ହେଉନି। ଯାହା ପର ହାତ ଟେକାରେ ବଂଚିବା କଥା। କଣ୍ଟ୍ରୋଲ ଚାଉଳ ଗଲେ ଘରେ ଚୁଲି ଜଳିବ, ପେଟରେ ଦାନା ପଡିବ। ଆଉ ସେ ଗଣ୍ଡାଏ ଚାଉଳ ପାଇଁ କିନ୍ତୁ ଭାରିକଷ୍ଟ କରିବାକୁ ପଡୁଛି। ୫ କିଲୋମିଟର ବାଟ ଖରାତରାରେ ଆସିବାକୁ ପଡୁଛି। ଏ ଦୁଃଖ କ’ଣ କାହାକୁ ଦିଶୁନି?

Advertisment

ଇଏ ହେଉଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ପରଜା ବାରିକଣ୍ଟା ଗାଁର ଲବ ମୁଦୁଲି। ସବୁ ଠିକ ଥିଲା। ହେଲେ ସମୟ ସବୁ ବିଗାଡିଦେଲା। ଅକାଳରେ ସ୍ତ୍ରୀ ଚାଲିଗଲା ପରେ ତାଙ୍କୁ ଝୁରି ଝୁରି ଅସୁସ୍ଥ ହୋଇପଡିଲେ ଲବ। ଏମିତି ରୋଗ ଧରିଲା ଯେ ଆଖି ଦିଟା ବି ଖରାପ ହୋଇଗଲା। ଯାହା ଯେଉଁଠି ମୂଲ ଲାଗି ଦି ପଇସା ଆଣୁଥିଲେ ସେତକ ବି ବନ୍ଦ ହୋଇଗଲା। ଗାଁ ପାଖରେ ଝିଅଟେ ବାହା ଦେଇଥିଲେ ବୋଲି ଚଳିଯାଉଛନ୍ତି। କେବେ କେମିତି ଝିଅ ଆସି ଲବଙ୍କ କଥା ବୁଝିଯାଉଛନ୍ତି। ଆଉ କୁଆଡେ ଯିବାକୁ ଥିଲେ ଝିଅ ଓ କୁନି ନାତି ତାଙ୍କୁ ଧରି ଧରି ବାଟ କଢାଉଛନ୍ତି। 

ଚାଉଳ ୫ କେଜିକୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାତ୍ର ହଜାରେ ଟଙ୍କା। ସେତିକିରେ ଲବଙ୍କ ମାସକର ଜୀବନ କେମିତି କଟୁଥିବ ଅନୁମାନ କରୁଥିବେ। ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇବାର ଦୀର୍ଘ ଦିନ ହୋଇଥିଲେ ବି  ଏଯାଏଁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳିନାହିଁ। ପ୍ରଶ୍ନ ଏକଥା କ’ଣ ସ୍ଥାନୀୟ ଲୋକପ୍ରତିନଧିଙ୍କ ନଜରରେ ପଡୁନି?

ଦୃଷ୍ଟିହୀନ ଲବଙ୍କ ଏ କଷ୍ଟ ଲୋକଙ୍କ ଆଖିରେ ପଡିବା ପରେ ସେମାନେ ମନ କଷ୍ଟ କରିଥିଲେ । ଏମାନଙ୍କ ପ୍ରତି ସରକାର କାହିଁକି ଏତେ ନିର୍ଦ୍ଦୟ ବୋଲି ପ୍ରଶ୍ନ କରିଥିଲେ । ଦିବ୍ୟାଙ୍ଗ, ବୟସ୍କଙ୍କ ଘରକୁ ଯାଇ ସେମାନଙ୍କ ବାୟୋନେକ୍ସ ବା ଟିପଚିହ୍ନ ନେବାର ବ୍ୟବସ୍ଥା ଥିଲେ ବି ଏଭଳି କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଏହାର ଉତ୍ତରରେ ଯୋଗାଣ ସହାୟକ କହିଥିଲେ , ଆଗରୁ ବାୟୋନେକ୍ସ ନିଆଯାଉଥିଲା, ଏବେ ଗାଁରେ ନେଟସ୍ବାର୍କ ନଥିବାରୁ ଏହା ଆଉ ସମ୍ଭବ ହେଉନି। 


ବିଶ୍ବାସ ଏ ବାସ୍ତବ ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ପ୍ରଶାସନ ଲବଙ୍କ ଏ  ସମସ୍ୟାକୁ ବୁଝିବେ ଏବଂ ସମାଧାନ କରିବାକୁ ତତ୍ପର ହେବେ।