କନକ ବ୍ୟୁରୋ : ପୁଣି ବିମାନକୁ ବୋମା ଧମକ । ଦୁଇ ଦୁଇଟି ବିମାନରେ ବୋମା ଥିବା ନେଇ ଧମକ ମିଳିବା ପରେ ଜରୁରୀ ଅବତରଣ କରାଯାଇଛି । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିସ୍ତାରାର ଏକ ବିମାନରେ ବୋମା ନେଇ ଧମକ ମିଳିଥିଲା। ସକାଳେ ବିମାନ ଉଡ଼ାଣ ଭରିବା ପରେ ଏହି ଧମକ ମିଳିଥିଲା । ଏହା ଜଣାପଡ଼ିବା ପରେ ବିମାନ ଭିତରେ ଆତଙ୍କ ସୃଷ୍ଟି ହୋଇଥିଲା । ଯାତ୍ରୀମାନେ ଛାନିଆ ହେବା ପରେ ବିମାନକୁ ଫ୍ରାନ୍ସଫର୍କକୁ ଡାଇଭର୍ଟ କରାଯାଇ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ରାତି ୧୨ଟା ୪୦ରେ ସୁରକ୍ଷିତ ଲ୍ୟାଣ୍ଡିଂ ପରେ ବିମାନର ଯାଞ୍ଚ କରିଥିଲେ ସୁରକ୍ଷାକର୍ମୀ । କିନ୍ତୁ କୌଣସି ସନ୍ଦିଗ୍ଧ ବିସ୍ଫୋରକ ନଥିବା ଜଣାପଡ଼ିଛି । ପ୍ରାୟ ଦୁଇ ଘଣ୍ଟା ପରେ ବିମାନ ଫ୍ରାଙ୍କଫର୍ଟରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା । ସେହିପରି ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନକୁ ମଧ୍ୟ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଏହି ବିମାନ ଦୁବାଇରୁ ଜୟପୁରକୁ ଆସୁଥିଲା । ରାତି ୧୨ଟା ୪୫ରେ ବିମାନରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଏହାପରେ ରାତି ୧ଟା ୨୦ ମିନିଟ୍‌ରେ ଜୟପୁର ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ଏହି ବିମାନ । ବିମାନରେ ୧୮୯ ଜଣ ଯାତ୍ରୀ ରହିଥିଲେ। ଅବତରଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ବିମାନକୁ ଯାଞ୍ଚ କରାଯାଇଥିଲା । କିନ୍ତୁ ଯାଞ୍ଚ ବେଳେ ଏହି ବିମାନରୁ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳି ନଥିଲା । ଏହି ଘଟଣା ପାଇଁ ଅନେକ ବିମାନ ବିଳମ୍ବରେ ଉଡାଣ ଭରିଛି । ଯେଉଁଥିପାଇଁ ଅନେକ ଯାତ୍ରୀଙ୍କୁ ସମସ୍ୟା ଭୋଗିବାକୁ ପଡିଛି । ତେବେ ଗତ ସପ୍ତାହେ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିଳିବାରେ ଲାଗିଛି । ଗୋଟାଏ ସପ୍ତାହ ମଧ୍ୟରେ ଅତି କମରେ ୧୬ଟି ବିମାନକୁ ବୋମା ଧମକ ମିଳି ଥିବା ଜଣାପଡ଼ିଛି । ଏଠି ପ୍ରଶ୍ନ ଉଠୁଛି କିଏ ଦେଉଛି ଏଭଳି ଧମକ । ମଝି ଆକାଶରେ ଉଡୁଥିବା ବେଳେ ବିମାନରେ କେମିତି ଓ କାହାକୁ ପଠାଯାଉଛି ବୋମା ଧମକ ।