କନକ ବ୍ୟୁରୋ: ୨୦୩୬ରେ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ସରକାର । ଏନେଇ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିସାରିଛନ୍ତି । ଆଉ କିଛି ପ୍ରମୁଖ କ୍ଷେତ୍ରକୁ ଫୋକସ କରି ଆଗକୁ ବଢ଼ିଛି ବିଜେପି ସରକାର । ରକ୍ତହୀନତା ଏବଂ ପୁଷ୍ଟିହୀନତାକୁ ଲୋପ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଞ୍ଚଳିକ ବୈଷମ୍ୟ ହାସଲ ପାଇଁ ବି ଲକ୍ଷ୍ୟ ରହିଛି ।

Advertisment

 
୩୬ଟି ପ୍ରାଥମିକ କାର୍ଯ୍ୟକ୍ରମକୁ ଚିହ୍ନଟ କରିଛନ୍ତି ସରକାର । କଲ୍ୟାଣକାରୀ ଯୋଜନାଠୁ ଆରମ୍ଭ କରି ଭିତ୍ତିଭୂମି, କୃଷି କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଓ ସରକାର କେଉଁ ଢାଞ୍ଚାରେ ଚାଲିବ, ଏ ସବୁକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି । ବିଶେଷକରି ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି ସରକାର ।  
- ରକ୍ତହୀନତା ଏବଂ ପୁଷ୍ଟିହୀନତାକୁ ଲୋପ କରାଯିବ 
- ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକାଳ ୮୦ ବର୍ଷରୁ ଅଧିକ ହେବ 
- ରାଜ୍ୟରେ ସମାନ ଆଞ୍ଚଳିକ ବିକାଶ 
- ଦାରିଦ୍ର୍ୟ ହାର ହ୍ରାସ କରାଯିବ 
- ୬୦ ପ୍ରତିଶତ ନଗରୀକରଣ ହାସଲ ଲକ୍ଷ୍ୟ 
- ପରିବେଶରେ ସ୍ଥିରତା ଲାଗି ଅକ୍ଷୟ ଶକ୍ତିକୁ ଗୁରୁତ୍ୱ 
 
୨୦୩୬ ପାଇଁ ଭିଜନ ଡକ୍ୟୁମେଣ୍ଟ୍ ବି ପ୍ରସ୍ତୁତ ହୋଇସାରିଛି । ନିବେଶ ଏବଂ ବଜାର ଦକ୍ଷତାକୁ ପ୍ରୋତ୍ସାହିତ କରିବା । ବିଶ୍ବସ୍ତରୀୟ ଭିତ୍ତିଭୂମି ସହ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଉପରେ ଫୋକସ୍ କରାଯିବ । ଏହାସହ ଶିକ୍ଷା, ଦକ୍ଷତା ବିକାଶ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୁଶଳୀ ମାନବ ସମ୍ବଳ ତିଆରି କରି ଜୀବନର ସାମଗ୍ରିକ ମାନ ବୃଦ୍ଧି ଭିଜନ ଡକ୍ୟୁମେଣ୍ଟରେ ଲକ୍ଷ୍ୟ ରଖାଯାଇଛି । ଗବେଷଣା, ବିକାଶ ଏବଂ ନୂଆ ଟେକ୍ନୋଲୋଜିକୁ ଦିଆଯିବ ଅଧିକ ପ୍ରୋତ୍ସାହନ । ବିଶେଷକରି ଆଦିବାସୀ ଏବଂ ଅନ୍ୟାନ୍ୟ ସୀମାନ୍ତ ସମ୍ପ୍ରଦାୟ ଭଳି ଦୁର୍ବଳ ଗୋଷ୍ଠୀ ଉପରେ ଧ୍ୟାନ ଦିଆଯିବ ।

୨୦୩୬ ବିକଶିତ ଓଡ଼ିଶା ଗଠନ ଓ ୨୦୪୭ ବିକଶିତ ଭାରତ ନେଇ ବୁଦ୍ଧିଜୀବୀ ଓ ଗବେଷକଙ୍କ ସୁଚିନ୍ତିତ ପରାମର୍ଶ ନେଇସାରିଛନ୍ତି ସରକାର । ଏହି ଭିଜନ ଡକ୍ୟୁମେଣ୍ଟକୁ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂର୍ତ୍ତି ହେବ ।