କନକ ବ୍ୟୁରୋ: ବୀରେନ୍ଦ୍ର ସେହଓ୍ୱାଗ... ବାସ୍ ଏ ନାଁ ହିଁ କାଫି ବିଶ୍ୱ କ୍ରିକେଟରେ ତାଙ୍କ ପରିଚୟ ପାଇଁ । ଯେତେବେଳେ ସେ ବ୍ୟାଟ୍ ଧରି ମୈଦାନକୁ ଆସନ୍ତି ସେତେବେଳେ ବିପକ୍ଷ ବୋଲରଙ୍କ ଛାତି ଧକ୍ ଧକ୍ ହେଉଥିଲା । କାରଣ ସେ ବୁଝନ୍ତିନି ଟେଷ୍ଟ କି ଟି-୨୦ ବାସ୍ ଛକା ଚୌକାର ବର୍ଷା କରି ଚାଲନ୍ତି । ସେଥିପାଇଁ ତ ସେ ବିଧ୍ୱଂସ ଖେଳାଳିଙ୍କ ମଧ୍ୟରେ ଥିଲେ ଅନ୍ୟତମ । ବଡ଼ ବଡ଼ ଟିମର ବୋଲିଂ ଲାଇନକୁ ସେ ଖରାପ କରିଦେଉଥିଲେ । ଆଜି ହେଉଛି ପୂର୍ବତନ ଭାରତୀୟ ଖେଳାଳି ଆଉ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ୱାଗଙ୍କ ଜନ୍ମଦିନ । ଆସନ୍ତୁ ତାଙ୍କ ଜନ୍ମଦିନରେ ଜାଣିବା କିଛି ଖାସ୍ କଥା ।
୧୯୭୮ ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରିଥିବା ସେହୱାଗ କ୍ରିକେଟ ଦୁନିଆର ଏମିତି ଜଣେ ଚେହେରା ଯାହାଙ୍କ ବ୍ୟାଟିଂ ଦେଖିବାକୁ ଚାହି ରହିଥାନ୍ତି ବିଶ୍ୱର କ୍ରିକେଟ ପ୍ରଂଶସକ । ବିନ୍ଦାସ ଓ ଆକ୍ରମଣାତ୍ମକ ଶୈଳୀ ବ୍ୟାଟିଂ କରି ପ୍ରଂଶସକଙ୍କ ମନରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲେ ସେହୱାଗ । ନଜଫଗଡର ନୱାବରୁ ମୁଲତାନର ସୁଲତାନ ପରିଚୟ ସେହୱାଗଙ୍କ କ୍ରିକେଟ କ୍ୟାରିୟରର ସବୁଠୁ ବଡ ଉପଲବ୍ଧି । ଭାରତର ଟି-୨୦ ଓ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିଲେ ସେହୱାଗ । ନିଜ କ୍ରିକେଟ କ୍ୟାରିୟରରେ ଅନେକ ବିଶ୍ୱ ରେକର୍ଡ କରିଛନ୍ତି ଭାରତର ଏହି ଦୁର୍ଦ୍ଦଷ ବ୍ୟାଟର । ଦ୍ରୁତ ବ୍ୟାଟିଂ କରିବାରେ ମାହିର ଥିବା ସେହୱାଗ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ଏକମାତ୍ର ଖେଳାଳୀ ଭାବେ ୨ଟି ତ୍ରିଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ସେହୱାଗ ଟି-୨୦ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରିବାରେ ମହାରଥ ହାସଲ କରିଥିଲେ । ତେବେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଧୂଆଁଧାର ଇନିଂସ ଖେଳି ମୁଲତାନର ସୁଲତାନ ପରିଚୟ ପାଇଥିଲେ ସେହୱାଗ ।
୨୦୦୪ରେ ପାକିସ୍ତାନ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ମୁଲତାନରେ ଖେଳିଥିଲା ପ୍ରଥମ ମ୍ୟାଚ୍ । ଓପନିଂ କରିବାକୁ ଆସିଥିବା ସେହୱାଗଙ୍କ ଦୁଦ୍ଦର୍ଷ ବ୍ୟାଟିଂ ସେଦିନ ପୂରା ବିଶ୍ୱ ଦେଖିଥିଲା । ପାକିସ୍ତାନର ପ୍ରତିଟି ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ସେହୱାଗ । ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଥିଲା ଟି-୨୦ ଝଲକ । ପ୍ରଥମ ଦିନରେ ହିଁ ୨୨୮ ରନ କରି ଅପରାଜିତ ଥିଲେ ସେହୱାଗ । ତେବେ ମ୍ୟାଚର ଦ୍ୱିତୀୟ ଦିନରେ ସେହୱାଗଙ୍କ ପାଇଁ ଆସିଥିଲା ଅବିସ୍ମରଣୀୟ ମୁହୂର୍ତ୍ତ, ଯାହା ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଥିଲା । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ ମ୍ୟାଚରେ ସେହୱାଗଙ୍କ ବ୍ୟାଟରୁ ଆସିଥିଲା ତ୍ରିଶତକ । ଆଉ ସେହୱାଗଙ୍କ ରେକର୍ଡ ବହିରେ ଯୋଡି ହୋଇଥିଲା ଆଉ ଏକ ନୂଆ ଅଧ୍ୟାୟ । ନଜଫଗଡର ନୱାବ ବିଶ୍ୱ କ୍ରିକେଟରଙ୍କ ନଜରରେ ସାଜି ସାରିଥିଲେ ମୁଲତାନର ସୁଲତାନ । ଆଉ ଏହା ପରଠାରୁ ଅଟକିନଥିଲା ସେହୱାଗଙ୍କ ବ୍ୟାଟ । ପ୍ରତି ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି କେବଳ ଟିମ୍ ଇଣ୍ଡିଆର ସ୍କୋର ବଢାଉନଥିଲେ ବରଂ ଟେଷ୍ଟ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ପୂର୍ବରୁ ଥିବା ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେଇଥିଲେ ।
ଅଗରକରଙ୍କୁ ଆଇନା ଦେଖାଇଲେ ସାମି, ୭ ଓ୍ୱିକେଟ ନେଇ ଚୁପ୍ କରିଦେଲେ ମୁହଁ
ଏହାପରେ ଦିନିକିଆରେ ବି ସେହଓ୍ୱାଗ ନିଜ ଜଲଓ୍ୱା ଦେଖାଇଥିଲେ । ୨୦୧୧ ମସିହା ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା ସେହଓ୍ୱାଗଙ୍କ ଦୁର୍ଦ୍ଧର୍ଷ ରୂପ । ସେ ୧୪୯ ବଲରୁ ୨୧୯ ରନ କରିଥିଲେ । ଯେଉଁଥିରେ ୨୫ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ନିଜ କ୍ୟାରିୟରର ପ୍ରଥମ ଦିନିକିଆ ଦ୍ୱିଶତକ ହାସଲ କରି ସେ ବନିଯାଇଥିଲେ ଇନ୍ଦୋରର ସିକନ୍ଦର ।
ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାରରୁ ଅଧିକ ରନ୍ କରିଥିବା ସେହୱାଗ ନିଜ ଜନ୍ମଦିନରେ ହିଁ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ପାକିସ୍ତାନ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିବା ସେହୱାଗ ପାକିସ୍ତାନ ବିପକ୍ଷରେ ହିଁ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ନିଜର ବିସ୍ଫୋରକ ବ୍ୟାଟିଂ ଶୈଳୀ ପାଇଁ ଭାରତୀୟ ଟିମର ଏହି ୭ ନମ୍ବର ଖେଳାଳୀ ପରବର୍ତ୍ତୀ ସମୟରେ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ଓପନର ପାଲଟିଥିଲେ । ସେହୱାଗ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟ ଟିମରେ ଯେଉଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଏବେ ଅପୂରଣୀୟ ହୋଇ ରହିଛି ।