କନକ ବ୍ୟୁରୋ: ଭାରତୀୟ କ୍ରିକେଟର ଭେଟରାନ ଖେଳାଳି ବିରାଟ କୋହଲି । ୧୩ ବର୍ଷର ଲମ୍ୱା ସମୟର ଅପେକ୍ଷା ପରେ ବିରାଟ ରଣଜୀକୁ ଫେରିବାକୁ ଯାଉଛନ୍ତି । ତାଙ୍କର ରଣଜୀ ମ୍ୟାଚ ପାଇଁ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ କିଛି ଖାସ ପ୍ଲାନିଂ କରୁଛନ୍ତି । ବିରାଟ ରଣଜୀ ଖେଳୁଥିବାରୁ ୧୦ ହଜାର ଦର୍ଶକଙ୍କୁ ଖାସ ଗିଫ୍ଟ ଦେବାର ଖବର ସାମ୍ନାକୁ ଆସୁଛି । ବିରାଟ ଜାନୁଆରୀ ୩୦ ତାରିଖରେ ଦିଲ୍ଲୀ ପାଇଁ ରେଲଓ୍ୱ ବିପକ୍ଷରେ ମୈଦାନକୁ ଓହ୍ଲାଇବେ । ତେବେ ଆସନ୍ତୁ ଜାଣିବା କେମିତି ବିରାଟ ଏହି ମ୍ୟାଚ ଜରିଆରେ ୧୦ ହଜାର ଦର୍ଶକଙ୍କ ମନ ଜିଣୁଛନ୍ତି । 

Advertisment

ଚାଲିଥିବା ରଣଜୀ ସିଜନରେ ଆସନ୍ତା ୩୦ ତାରିଖରେ ଦିଲ୍ଲୀ ଓ ରେଲଓ୍ୱେ ମୁକାବିଲା ରହିଛି । ବିରାଟ ନିଜ ଘରୋଇ ଦଳ ଦିଲ୍ଲୀ ପାଇଁ ରଣଜୀ ଖେଳିବାକୁ ଯାଉଛନ୍ତି । ସେ ନିଜର ଶେଷ ରଣଜୀ ମ୍ୟାଚ ୨୦୧୨ରେ ଖେଳିଥିଲେ । ଅର୍ଥାତ ସେ ଏବେ ୧୩ ବର୍ଷ ପରେ ରଣଜୀ ମ୍ୟାଚ ଖେଳିବାକୁ ଯାଉଛନ୍ତି । ବିରାଟ ବହୁତ ବର୍ଷ ପରେ ଘରୋଇ ଟିମକୁ ଫେରୁଥିବାରୁ ଡିଡିସିଏ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛି । ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲୀ ସୂଚନା ଦେଇଛନ୍ତି କି ରଣଜୀରେ ବିରାଟ କୋହଲିଙ୍କ ବ୍ୟାଟିଂର ମଜା ଉଠାଇବା ପାଇଁ ଅରୁଣ ଜେଟଲୀ ଷ୍ଟାଡିୟମରେ ୧୦ ହଜାର ଦର୍ଶକଙ୍କୁ ଅନୁମତି ମିଳିଛି । ଆଉ ଏହି ୧୦ ହଜାର ଫ୍ୟାନ୍ସ ଫ୍ରିରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିପାରିବେ । 

ବିରାଟଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ଘରୋଇ କ୍ରିକେଟକୁ ୧୩ ବର୍ଷ ପରେ ଫେରିବା ନିଶ୍ଚିତ ଭାବେ ଦିଲ୍ଲୀ ପୋଲିସ ଆଉ ଡିଡିସିଏ ପାଇଁ ଚ୍ୟାଲେଞ୍ଜିଂ ରହିବ । କୋହଲିଙ୍କ ସୁରକ୍ଷା ପାଇଁ ମଧ୍ୟ ସବୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରୋହନ ଜେଟଲୀ କହିଛନ୍ତି କି ଫ୍ୟାନ୍ସଙ୍କ ପାଇଁ ନର୍ଥ ଏଣ୍ଡ ଓ ଓଲ୍ଡ କ୍ଲବ ହାଉସରେ ଏଣ୍ଟ୍ରି ହେବ । ଯଦି ଆବଶ୍ୟକତା ପଡିବ ବାକି ଷ୍ଟାଣ୍ଡର ଗ୍ରାଉଣ୍ଡ ଫ୍ଲୋରରେ ଫ୍ୟାନ୍ସଙ୍କ ପାଇଁ ବ୍ୟବସ୍ଥା କରାଯିବ । 

୨୦୧୨ରେ ବିରାଟ କୋହଲି ଯେତେବେଳେ ନିଜର ଶେଷ ରଣଜୀ ମ୍ୟାଚ ଖେଳିଥିଲେ ସେତେବେଳେ ସେ ଏତେ ପ୍ରଭାବୀ ପ୍ରଦର୍ଶନ କରିନଥିଲେ । ପ୍ରଥମ ପାଳିରେ ସେ ୧୯ ବଲରେ ୧୪ ରନ କରିଥିଲା ବେଳେ ଦ୍ୱିତୀୟ ପାଳିରେ ୪୩ ରନ କରିଥିଲେ । ଏବେ ଦେଖିବା ବାକି ରହିଲା ୧୩ ବର୍ଷ ପରେ ଘରୋଇ ଦଳକୁ ଫେରି କିଙ୍କ କୋହଲି କଣ କମାଲ କରୁଛନ୍ତି । ବିରାଟ କୋହଲି ୨୩ ଜାନୁଆରୀ ଦିଲ୍ଲୀ-ସୌରାଷ୍ଟ୍ର ମ୍ୟାଚରେ ହିଁ ରଣଜୀକୁ ଫେରିଥାନ୍ତେ, ହେଲେ ବେକରେ ଆଘାତ ଲାଗିବା କାରଣରୁ ସେ ସେହି ମ୍ୟାଚରେ ଫେରିନଥିଲେ । 

ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ଟପ ଖେଳାଳିଙ୍କ ପ୍ରଦର୍ଶନ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଥିଲା । କାରଣ ଆଗକୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳକୁ ପ୍ରସ୍ତୁତ କରାଯାଉଥିବା ବେଳେ ରୋହିତ, ବିରାଟଙ୍କ ଭଳି ଖେଳାଳି ଫ୍ଲପ ହେବା ଚିନ୍ତାର କାରଣ ପାଲଟିଥିଲା । ତେଣୁ କୋଚ ଗୌତମ ଗମ୍ଭୀର ସବୁ ଖେଳାଳିଙ୍କୁ ରଣଜୀ ଖେଳିବାକୁ ପରାମର୍ଶ ଦେଇଥିଲେ । ରୋହିତ ଶର୍ମା ଜାମ୍ମୁ କାଶ୍ମୀର ବିପକ୍ଷରେ ରଣଜୀ ମ୍ୟାଚକୁ ଫେରିଥିଲେ । ହେଲେ କିଛି ବଡ ପ୍ରଭାବ ପକାଇ ନାହାନ୍ତି ଏହି ବଡ ଷ୍ଟାର । ପ୍ରଥମ ପାଳିରେ ରୋହିତ ୩ ରନ କରିଥିବା ବେଳେ ଦ୍ୱିତୀୟ ପାଳିରେ ୨୮ ରନ କରିଥଲେ । ଆଉ ଏବେ ବିରାଟଙ୍କ ରଣଜୀ ପ୍ରଦର୍ଶନକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।