କନକ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶନିବାର ଉଜ୍ଜୟିନୀ ସ୍ଥିତ ଶ୍ରୀ ମହାକାଳେଶ୍ବର ମନ୍ଦିର ଯାଇ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ସାଥୀ ଖେଳାଳି କୁଳଦୀପ ଯାଦବ ଓ ଭାରତୀୟ ଦଳର ଫିଲଡିଂ ପ୍ରଶିକ୍ଷକ ଟି.ଦିଲ୍ଲୀପ ମଧ୍ୟ ଥିଲେ । ଏହା ପୂର୍ବରୁ ଶୁକ୍ରବାର ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ବ୍ୟାଟ୍ସମ୍ୟାନ କେ.ଏଲ୍. ରାହୁଲ ଶ୍ରୀମହାକାଳଙ୍କ ଦର୍ଶନ କରିଥିଲେ ।
ରବିବାର ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଖେଳିବାକୁ ଭାରତୀୟ ଦଳ ଇନ୍ଦୋରରେ ଥିବାବେଳେ ବିରାଟ କୋହଲି ସେଠାରୁ ଉଜ୍ଜିୟିନୀ ଯାଇ ମହାକାଳେଶ୍ବର ଦର୍ଶନ କରିଥିଲେ । ଉଭୟ ବିରାଟ ଓ କୂଳଦୀପ ଭୋର୍ ୪ ଟାରେ ମନ୍ଦିରରେ ପ୍ରବେଶ କରିଥିଲେ ଓ ଠାକୁରଙ୍କ ଭସ୍ମ ଆଳତୀ ଦେଖିଥିଲେ । ଏହାପରେ ଉଭୟ ଖେଳାଳି ଓ ଫିଲଡିଂ ପ୍ରଶିକ୍ଷକ ଟି.ଦିଲ୍ଲୀପ ନନ୍ଦୀ ହଲରେ ପ୍ରାୟ ୨ ଘଣ୍ଟା ଶାନ୍ତଭାବେ ବସିରହିଥିଲେ । ପୂଜା ସମୟରେ ପୂଜାରୀମାନେ ବିରାଟଙ୍କ ମଥାରେ ଚନ୍ଦନ ତିଳକ ଲଗାଇଥିଲେ । ମନ୍ଦିରରେ ବିରାଟଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ବିରାଟ ଫେରିବା ସମୟରେ ପ୍ରସଂଶକମାନଙ୍କୁ ଅଭିବାଦନ ଜଣାଇ ''ଜୟ ଶ୍ରୀ ମହାକାଳ'' ବୋଲି କହିଥିଲେ ।
ଏହା ବି ପଢ଼ନ୍ତୁ: ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍: ଭାରତ-ବାଂଲାଦେଶ ମୁକାବିଲା ଉପରେ ସମସ୍ତଙ୍କ ନଜର
ବିରାଟ ବିଗତ କିଛିବର୍ଷ ହେଲା ନିଜର ଆଧ୍ୟାତ୍ମିକ ଜୀବନଯାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ବିଭିନ୍ନ ସମୟରେ ଦେଶର ତୀର୍ଥ କ୍ଷେତ୍ର ନିଜ ପତ୍ନୀ ଅନୁଷ୍କାଙ୍କ ସହ ପରିଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ନେଉଛନ୍ତି । ସେ ମଧ୍ୟ ନିୟମିତଭାବେ ନିଜ ପରିବାର ସହ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ଆଶ୍ରମକୁ ଯାଇଥାନ୍ତି ।
ପ୍ରଥମ ଦୁଇଟି ମ୍ୟାଚ ମଧ୍ୟରୁ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ଜିତିଥିବାରୁ ଶୃଙ୍ଖଳା ଏବେ ୧-୧ରେ ବରାବର ରହିଛି । ୩ୟ ମ୍ୟାଚ ଯେଉଁ ଦଳ ଜିତିବ ସେ ଶୃଙ୍ଖଳା ମଧ୍ୟ ଜିତିବ । ଏଣୁ ଏହି ମ୍ୟାଚର ଗୁରୁତ୍ବ ବଢିଯାଇଛି ।
Follow Us