କନକ ବ୍ୟୁରୋ: ରାଗିଲେ ବିରାଟ କୋହଲି, ବ୍ରଡକାଷ୍ଟରଙ୍କ ଉପରେ ସୁଝାଇଲେ ରାଗ । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କୋହଲି ଅଫିସିଆଲ୍ ବ୍ରଡକାଷ୍ଟରଙ୍କ ଉପରେ ବର୍ଷିଛନ୍ତି । କୋହଲି କହିଛନ୍ତି ଯେ, ମ୍ୟାଚ୍ ସମୟରେ ମ୍ୟାଚ୍ ପରିବର୍ତ୍ତେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଆଲୋଚନା କରାଯାଉଛି । ଟିଭିରେ ମ୍ୟାଚ୍ ପ୍ରସାରଣ କରୁଥିବା କମ୍ପାନୀ ତାଙ୍କ ଖାଇବା, ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନାପସନ୍ଦ କରିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି ।
ତେବେ କିଛି ମାସ ପୂର୍ବେ ଯେତେବେଳେ ଇଂଲଣ୍ଡ ବିପକ୍ଷରେ ଭାରତ ନିଜର ଘରୋଇ ସିରିଜ୍ ଖେଳୁଥିଲା, ସେତେବେଳେ କୋହଲିଙ୍କ ଖାଦ୍ୟାଭ୍ୟାସ ବିଷୟରେ ଷ୍ଟାର ସ୍ପୋର୍ଟସରେ ଏକ ଲମ୍ବା ଆଲୋଚନା ହୋଇଥିଲା। ବିଶେଷକରି ଏହି ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ କୋହଲି ଦିଲ୍ଲୀର ଏକ ମ୍ୟାଚ୍ ସମୟରେ ତାଙ୍କ ପାଖରେ ବସିଥିବା ରାହୁଲ ଦ୍ରାବିଡଙ୍କ ସହ କଥା ହେଉଥିଲେ ଏବଂ ଏହି ସମୟରେ ଜଣେ ବ୍ୟକ୍ତି ଛୋଲେ ଭଟୁରେ ଆଣିବା ସମୟରେ କେୋହଲି ଉତ୍ସାହିତ ହେବାଭଳି ନଜର ଆସିଥିଲେ । ଯାହାକୁ ନେଇ ଦୀର୍ଘ ସମୟ ଧରି ଷ୍ଟାର ସ୍ପୋର୍ଟସରେ ଆଲୋଚନା ହୋଇଥିଲା ।
ଏକ କାର୍ଯ୍ୟକ୍ରମରେ କୋହଲି କହିଛନ୍ତି, ମ୍ୟାଚ୍ ପ୍ରସାରଣ ସମୟରେ କାର୍ଯ୍ୟକ୍ରମଗୁଡ଼ିକରେ ଖେଳ ବିଷୟରେ କଥା ହେବା ଆବଶ୍ୟକ। ହେଲେ ଗତକାଲି ମଧ୍ୟାହ୍ନ ଭୋଜନରେ ମୁଁ କ’ଣ ଖାଇଲି କିମ୍ବା ଦିଲ୍ଲୀରେ ମୋର ପ୍ରିୟ ଛୋଲେ ଭଟୁରେ ସ୍ଥାନ କେଉଁଠି, ତାହା ବିଷୟରେ ନୁହେଁ । ମ୍ୟାଚ୍ ସମୟରେ ତୁମେ ଏହା କରିପାରିବ ନାହିଁ। ବରଂ ଆପଣଙ୍କୁ ସେହି ନିର୍ଦ୍ଦିଷ୍ଟ ଖେଳାଳି କିପରି ପରିସ୍ଥିତି ଦେଇ ଗତି କରୁଛନ୍ତି ସେ ବିଷୟରେ କଥା ହେବା ଉଚିତ୍ ବୋଲି କହିଛନ୍ତି କୋହଲି ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମ୍ୟାଚ୍ ପ୍ରସାରଣକାରୀଙ୍କୁ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ସେମାନଙ୍କ କାହାଣୀ ପ୍ରଦର୍ଶନ କରିବା ଉଚିତ। ଆମେ ଭାରତକୁ ଏକ କ୍ରୀଡ଼ା ଅଗ୍ରଣୀ ଦେଶ କରିବା ପାଇଁ କାମ କରୁଛୁ । ଆମର ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ଅଛି । ଆଜି ଆମେ ମୌଳିକ ବିଷୟଗୁଡ଼ିକ ଉପରେ କାର୍ଯ୍ୟ କରୁଛୁ । ତେଣୁ ଏହି ପ୍ରକ୍ରିୟାରେ ସାମିଲ ଥିବା ପ୍ରତ୍ୟେକଙ୍କର ସାମୂହିକ ଦାୟିତ୍ୱ ରହିବା ଉଚିତ ବୋଲି କହିଛନ୍ତି ବିରାଟ କୋହଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/16/jabOZTGRGHqM9y5b9E7Q.jpg)