କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ଦିନିକିଆ ମାନ୍ୟତା ପ୍ରକାଶ ପାଇଛି । ଏହା ଅନୁସାରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ବର ନଂ୧ ମାନ୍ୟତା ପ୍ରଦାନ କରାଯାଇଛି । ୭୮୫ ପଏଣ୍ଟ ସହ ସେ ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ୭୮୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ଡାରିଲ ମିଚେ ଲ୍। ୭୭୫ ପଏଣ୍ଟ ସହ ୩ୟ ସ୍ଥାନରେ ଅଛନ୍ତି ଭାରତର ରୋହିତ ଶର୍ମା । ସେହିପରି ୭୬୪ ପଏଣ୍ଟ ସହ ଆଫଗାନିସ୍ତାନର ଇବ୍ରାହିମ ଜଡ୍ରାନ ।
ବିରାଟ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିପରି ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ସେ ମ୍ୟାଚ ବିଜୟୀ ୯୩ ରନ କରିଥିଲେ । ଏସବୁ ଲଢୁଆ ଇନିଂସ ତାଙ୍କୁ ଅଧିକ ପଏଣ୍ଟ ପ୍ରଦାନ କରିବା ସହ ମାନ୍ୟତାରେ ଉନ୍ନତି ଘଟାଇଛି ।
ଅନ୍ୟପକ୍ଷରେ ଟେଷ୍ଟ ମାନ୍ୟତାରେ ଇଂଲଣ୍ଡର ଜୋ ରୁଟ ୮୮୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ୮୫୭ ପଏଣ୍ଟ ସହ ୨ୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ହେରି ବ୍ରୁକ୍ । ୩ୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ । ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତର ଅଭିଷେକ ଶର୍ମା ନଂ୧ରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଫିଲିପ ସଲ୍ଟ ।
Follow Us